କନକ ବ୍ୟୁରୋ: ଏ ଦୁନିଆରେ ଯାହାର ଭାଇ ନାହିଁ ତାହାର ସାହା ନାହିଁ । ଜୀବନରେ ଜଣେ ବଡ ଭାଇର ତ୍ୟାଗ ସତରେ ଭାରି ମୂଲ୍ୟବାନ । ନିଜ ଦାୟିତ୍ୱକୁ ତୁଲାଇବା ପାଇଁ ବଡ ଭାଇ ତାର ସବୁ ସ୍ୱପ୍ନକୁ ବଳିଦାନ ଦେଇଥାଏ । ଯାହାର ଉଦାହରଣ ଦେଖିବାକୁ ମିଳିଛି କ୍ରିକେଟର ଯଶସ୍ୱୀ ଜୟସ୍ୱାଲ ଆଉ ତେଜଶ୍ୱୀ ଜୟସ୍ୱାଲଙ୍କ କ୍ଷେତ୍ରରେ । 

Advertisment

ଦିନେ ପରିବାର ପାଇଁ ସେ ଛାଡି ଦେଇଥିଲେ କ୍ରିକେଟ । ଭାଇ ଭଉଣୀଙ୍କ ଭବିଷ୍ୟତ ପାଇଁ ନିଜ ସ୍ୱପ୍ନକୁ ତ୍ୟାଗ କରିଦେଇଥିଲେ । ଭାଇକୁ ଷ୍ଟାର କ୍ରିକେଟର କରିବା ପାଇଁ ଆଉ ଭଉଣୀର ବାହାଘର ପାଇଁ ଦୋକାନରେ କାମ କରିଥିଲେ । ସତରେ ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ । ଭାଇ-ଭଉଣୀଙ୍କ ସ୍ୱପ୍ନକୁ ପୂରା କରିବା ପରେ ଏବେ ନିଜେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି । ଆମେ କହୁଛୁ ଷ୍ଟାର କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କ ବଡ ଭାଇ ତେଜସ୍ୱୀ ଜୟସ୍ୱାଲଙ୍କ କଥା । 

୨୭ ବର୍ଷିୟ ତେଜସ୍ୱୀ ଚଳିତ ବର୍ଷ ରଣଜୀରେ ଡେବ୍ୟୁ କରିଛନ୍ତି । ସେ ତ୍ରିପୁରା ପାଇଁ ଖେଳି ବଡୋଦରା ବିପକ୍ଷରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ଆଉ ଏହି ସଫଳତା ପରେ ସବୁଠାରୁ ବେଶି ଖୁସି ଅଛନ୍ତି ସାନ ଭାଇ ଯଶସ୍ୱ ଜୟସ୍ୱାଲ । ବଡ ଭାଇ ପାଇଁ ମେସେଜ ଦେଇ ସେ ଲେଖିଛନ୍ତି, ତମେ ସମସ୍ତଙ୍କ ପାଇଁ କଲ, ନିଜ ସ୍ୱପ୍ନକୁ ଛାଡିଲ, ବହୁତ ତ୍ୟାଗ ବି କଲ, ଏବେ ତୁ ପାଳି... ଯଶସ୍ୱୀଙ୍କ ସଫଳତାର ଏକ ବଡ କାରଣ ତାଙ୍କ ବଡ ଭାଇଙ୍କ ତ୍ୟାଗ । 

ଜୟସ୍ୱାଲଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ତେଜସ୍ୱୀ ଜୟସ୍ୱାଲଙ୍କୁ ଲାଗିଥିଲା କି ତାଙ୍କ ସାନ ଭାଇ ଯଶସ୍ୱୀ ଆଉ ସେ ସାଙ୍ଗ ହୋଇ କ୍ରିକେଟ ଖେଳିପାରିବେନି । ଆଉ ଶେଷରେ ବଡ ଭାଇଙ୍କୁ ବଳିଦାନ ଦେବାକୁ ପଡିଥିଲା । ସେ ଦିଲ୍ଲୀକୁ ଯାଇ ଜଣେ ସମ୍ପର୍କୀୟଙ୍କ ହାଡୱୟାର ଦୋକାନରେ କାମ କରିଥିଲେ । ସେଠାରେ ରହି ସେ କେବଳ ନିଜ ପରିବାରର ଭରଣ ପୋଷଣ ନୁହେଁ ବରଂ ଦୁଇ ବଡ ଭଉଣୀଙ୍କୁ ବିବାହ କରାଇଥିଲେ । ଏହାସହ ସାନ ଭାଇ କ୍ରିକେଟ ଖେଳୁଥିବାରୁ ତାଙ୍କ ଖର୍ଚ୍ଚ ମଧ୍ୟ ଉଠାଉଥିଲେ ।

କେବଳ ଏତିକି ସରିନଥିଲା ତାଙ୍କ ସଂଘର୍ଷ । ତେଜସ୍ୱୀଙ୍କୁ କ୍ରିକେଟ ସହ ଜଡିତ ଆଉ ଏକ ଖରାପ ସ୍ଥିତିକୁ ସାମ୍ନା କରିବାକୁ ପଡିଥିଲା । ତାଙ୍କ ଉପରେ ବୟସ ଜାଲିଆତିର ସଙ୍ଗୀନ ଅଭିଯୋଗ ଲାଗିଥିଲା । ଏଥିପାଇଁ ତାଙ୍କୁ ବର୍ଷେରୁ ଅଧିକ ସମୟ ଯାଏଁ କ୍ରିକେଟରୁ ଦୂରେଇ ରହିବାକୁ ପଡିଥିଲା । ଏଭଳି ଖରାପ ପରିସ୍ଥିତିରେ ତାଙ୍କୁ ଦିଓଳ ଦିମୁଠା ଖାଇବା ଯୋଗାଡ କରିବା ବି ଅସମ୍ଭବ ହୋଇପଡୁଥିଲା । ପରେ ଯଶସ୍ୱୀଙ୍କ କ୍ରିକେଟରେ ଭଲ ପ୍ରଦର୍ଶନ ଓ ପରିବାରର ସମର୍ଥନ ଯୋଗୁଁ ସେ ଅଣ୍ଟା ସଳଖି ଛିଡା ହୋଇଥିଲେ । 

ଏବେ ୭ ବର୍ଷ ପରେ ସେ କ୍ରିକେଟରେ ପାଦ ଥାପିଛନ୍ତି । ରଣଜୀରେ ଡେବ୍ୟୁ କରିବା ସହ ଅର୍ଦ୍ଧ ଶତକ ହାସଲ କରିଛନ୍ତି । କେବଳ ସେତିକି ନୁହେଁ ସେ ଏବେ ପ୍ରଥମ ଶ୍ରେଣୀ କ୍ରିକେଟର ବି ହୋଇ ପାରିଛନ୍ତି । ଜଣେ ଭାଇ ଭାବେ ତେଜସ୍ୱୀଙ୍କ ବଳିଦାନ ସତରେ ଅପୂରଣୀୟ ।