କନକବ୍ୟୁରୋ : ଆରଜେଡି ନେତା ତଥା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଶନିବାର ଦାବି କରିଛନ୍ତି ଯେ ବିହାରରେ ଶୁକ୍ରବାର ପ୍ରକାଶିତ ହୋଇଥିବା ସଂଶୋଧିତ ଭୋଟର ତାଲିକାରେ ତାଙ୍କ ନାଁ ନାହିଁ । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଯାଦବ ତାଙ୍କ ନିର୍ବାଚନ ଫଟୋ ପରିଚୟପତ୍ର ନମ୍ବର ଦେଖାଇଛନ୍ତି ଏବଂ ଏହାକୁ ନିର୍ବାଚନ କମିସନ୍ଙ୍କ ସରକାରୀ ମୋବାଇଲ୍ ଆପ୍ଲିକେସନ୍ରେ ଏଣ୍ଟର୍ କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳିଛି ‘ନୋ ରେକର୍ଡ୍ସ ଫାଉଣ୍ଡ୍’ ।
ତେଜସ୍ବୀ କହିଛନ୍ତି, ମୋ ନାଁ ମଧ୍ୟ ଭୋଟର ତାଲିକାରେ ନାହିଁ । ମୁଁ କିଭଳି ନିର୍ବାଚନ ଲଢ଼ିବି । ତେବେ ତେଜସ୍ବୀ ଯାଦବଙ୍କର ଏହି ଦାବିକୁ ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି। ଇଲେକ୍ଟୋରାଲ୍ ରୋଲ୍ରୁ ବିସ୍ତୃତ ତଥ୍ୟ ସେୟାର କରି ଇସି ସ୍ପଷ୍ଟ କରିଛନ୍ତି ଯେ ପାଟନାରେ ଏକ ଭେଟେରିନାରି କଲେଜ ବୁଥ୍ରେ ତାଙ୍କ ନାଁ ତାଲିକାଭୁକ୍ତ ହୋଇଛି ।
କମିସନ୍ ତେଜସ୍ବୀ ଯାଦବଙ୍କ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ ତେଜସ୍ବୀ ଯାଦବଙ୍କ ନାଁ ସଂଶୋଧିତ ଭୋଟର ତାଲିକାରେ ନାହିଁ ବୋଲି ତେଜସ୍ବୀ ଅତ୍ୟନ୍ତ ବେପରୁଆ ଓ ବିଭ୍ରାନ୍ତିକର ଦାବି କରିଥିବା ଆମ ନଜରକୁ ଆସିଛି। ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ର ସିରିଏଲ ନମ୍ବର ୪୧୬ରେ ତାଙ୍କ ନାଁ ତାଲିକାଭୁକ୍ତ ହୋଇଛି ।
ତେଣୁ ତାଙ୍କ ନାଁ ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ରେ ନାହିଁ ବୋଲି ଦାବି କରିବା ମିଥ୍ୟା ଏବଂ ତଥ୍ୟଗତ ଭାବେ ଭୁଲ୍ ବୋଲି କମିସନ୍ କହିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ଏଭଳି ମିଛୁଆ ନେତାଙ୍କ କାରନାମା ଉପରେ ଲୋକଙ୍କ ନଜର ରହିଛି ଏବଂ ସେମାନଙ୍କ ଯୋଗ୍ୟତା ନେଇ ଏବେ ଲୋକେ ପ୍ରଶ୍ନ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/03/t-2025-08-03-07-44-44.jpg)