କନକ ବ୍ୟୁରୋ: ତେଜସ୍ୱୀଙ୍କୁ ନେଇ ବିହାରରେ ବଢୁଛି କି ଅଡୁଆ? କାହିଁକି ମହାମେଣ୍ଟରେ ତେଜସ୍ୱୀଙ୍କ ନାମକୁ ନେଇ ହେଇପାରୁନି ସହମତି? ଏମିତି କିଛି ଚର୍ଚ୍ଚା ଭିତରେ ଗୁରୁବାର ବିହାରର ପାଟନାରେ ମହାମେଣ୍ଟର ବୈଠକ ବସିଥିଲା । ତେବେ ଏହି ବୈଠକ ପୂର୍ବରୁ, ରାଷ୍ଟ୍ରୀୟ ଜନତା ଦଳ ସ୍ପଷ୍ଟ ଭାବରେ କହିଥିଲା ଯେ, ତେଜସ୍ୱୀ ଯାଦବ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଚେହେରା । ଏମିତି କି, ବିକାଶଶୀଳ ଇନସାନ ପାର୍ଟି ପ୍ରତିଷ୍ଠାତା ମୁକେଶ ସହନୀ ତେଜସ୍ୱୀଙ୍କୁ ତାଙ୍କର ସାନ ଭାଇ ବୋଲି କହିଥିଲେ ଆଉ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିଷୟରେ ମଧ୍ୟ କଥା ହୋଇଥିଲେ । ଏପରି ସ୍ଥିତିରେ ଚର୍ଚ୍ଚା ହେଉଥିଲା ଯେ, ପାଟନାରେ ମହାମେଣ୍ଟର ବୈଠକ ପରେ ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଘୋଷଣା କରାଯିବ, ହେଲେ ସେମିତି କିଛି ବି ଘଟିଲାନି ।
ବୈଠକ ପରେ ମହାମେଣ୍ଟର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ, ନିର୍ବାଚନ ପାଇଁ ଏକ ସମନ୍ୱୟ କମିଟି ଗଠନ କରିବାକୁ ଘୋଷଣା କରାଯାଇଥିଲା । ଯେଉଁଥିରେ କି ପ୍ରତ୍ୟେକ ଦଳରୁ ଦୁଇଜଣ ସଦସ୍ୟ ରହିବେ । ଏହାମଧ୍ୟ କୁହାଯାଇଥିଲା ଯେ, ଏହି ୧୩ ଜଣିଆ କମିଟି ବିହାର ନିର୍ବାଚନ ସମ୍ପର୍କରେ ସମସ୍ତ ନିଷ୍ପତ୍ତି ନେବ, ଆଉ ଏହି ନୂତନ 'ଶକ୍ତି କେନ୍ଦ୍ର'ର କମାଣ୍ଡ ତେଜସ୍ୱୀ ଯାଦବଙ୍କୁ ଦିଆଯିବ । ହେଲେ ଏ ସବୁ ଭିତରେ କିନ୍ତୁ ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି, ହେବେନି ତାହା ଆଉ ଏକ ଦ୍ୱନ୍ଦ୍ୱ ହେଇ ରହିଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଆଉ ଗୋଟିଏ କଥା ମଧ୍ୟ ଉଠିଥିଲା । ମହାମେଣ୍ଟରେ କୌଣସି ବି ଫାଟ ନାହିଁ ବୋଲି କୁହାଯାଇଥିଲା । ହେଲେ ସତ କିନ୍ତୁ ଭିନ୍ନ...କଂଗ୍ରେସ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିବାକୁ ଚାହୁନି ବୋଲି ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କଲେଣି । ତେଣୁ ଚର୍ଚ୍ଚା ହେଉଛି କଂଗ୍ରେସ ପାଇଁ ଅଡୁଆ ହେଉଛନ୍ତି କି ତେଜସ୍ୱୀ? ନା ଏହା ପଛରେ ଆଉ କିଛି କାରଣ ରହିଛି?
ମହାମେଣ୍ଟରେ ଏଯାବତ ବଡ଼ ଭାଇର ଭୂମିକା ନିଭେଇ ଆସୁଛି ଆରଜେଡି । ସଂଖ୍ୟାବଳ ଦୃଷ୍ଟିରୁ ରାଷ୍ଟ୍ରୀୟ ଜନତା ଦଳ, ବଡ଼ ଭାଇ ଭୂମିକାରେ ରହିଆସିଛି । ତେଣୁ ଯଦି, ଆଗାମୀ ଦିନରେ ବିହାରରେ ମହାମେଣ୍ଟ ସତ୍ତାକୁ ଫେରେ, ତେବେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା ପକ୍କା । ହେଲେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ କଂଗ୍ରେସ ଅମଙ୍ଗ ଥିଲା ଭଳି ମନେ ହେଉଥିବାରୁ, ଲାଲୁଙ୍କ ନନ୍ଦନଙ୍କ ଅଡୁଆ ବଢିପାରେ ।
ଏ ସମ୍ପର୍କରେ କଂଗ୍ରେସ ସାଂସଦ ମନୋଜ କୁମାରଙ୍କ କହିବା କଥା, "ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଖ୍ୟମନ୍ତ୍ରୀ ଚେହେରା ନିର୍ଣ୍ଣୟ କରିବା ଆମ ପାଇଁ ଗୋଟିଏ ଘଣ୍ଟାର କଥା। ତେବେ ତେଜସ୍ୱୀ ଯାଦବଙ୍କୁ ନେଇ ପ୍ରଶ୍ନ ହେବାରୁ, ସେ କହିଥିଲେ ଯେ, ତେଜସ୍ୱୀଙ୍କର ମୁଖ୍ୟମନ୍ତ୍ରୀ ହେବାର କ୍ଷମତା ଅଛି ଏବଂ ଆମେ ତାଙ୍କୁ ସମର୍ଥନ କରୁ। କଂଗ୍ରେସ ସାଂସଦମାନେ ମଧ୍ୟ କହୁଛନ୍ତି ଯେ, ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଉପଯୁକ୍ତ । ହେଲେ ଏତେ ସବୁ ପରେ ମଧ୍ୟ ସମସ୍ୟା କେଉଁଠି? ତାହା ସବୁଠାରୁ ବଡ଼ ପ୍ରଶ୍ନ...
ଏଥର ଲୋକସଭା ନିର୍ବାଚନ ସମୟରେ ସିଟ୍ ବୁଝାମଣାକୁ ନେଇ ଆରଜେଡି ଏବଂ କଂଗ୍ରେସ ଭିତରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଥିଲା । ବେଗୁସରାଇ ସିଟରୁ କଂଗ୍ରେସ କହ୍ନୈୟା କୁମାରଙ୍କୁ ଛିଡ଼ା କରିବାକୁ ଚାହୁଥିଲା, ହେଲେ ଏଥିରେ କିନ୍ତୁ ଲାଲୁ ଯାଦବ ହଁ ଭରିନଥିଲେ । ଯେଉଁ କାରଣରୁ କହ୍ନୈୟା ବିହାର ଛାଡି ଦିଲ୍ଲୀରୁ ପ୍ରାର୍ଥୀ ହେଇଥିଲେ । ତେବେ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ଏ ଆତ୍ମସମର୍ପଣ ମୁଡ୍, ଦଳର ପ୍ରତିଛବିକୁ ପ୍ରଭାବିତ କରିଥିବାରୁ, ଏଥର ଆଉ ଦଳ ସେ ଭୁଲ ଦୋହରାଇବାକୁ ଚାହୁନି । ତେଣୁ ଦଳ ନିଜ ଦମରେ ମେଣ୍ଟରେ ରହିବା ସହ, ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କିଛି ବଡ଼ ନିଷ୍ପତ୍ତି ନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।