କନକ ବ୍ୟୁରୋ : ବିହାର ନିର୍ବାଚନ ପୂର୍ବରୁ ଭୋଟର ତାଲିକା ପୁନଃନିରୀକ୍ଷଣକୁ ନେଇ ବିହାରରୁ ଦିଲ୍ଲୀ ରାଜନୀତି ସରଗରମ ହୋଇଛି । ବିହାର ଇଣ୍ଡିଆ ମେଣ୍ଟର ମୁଖ୍ୟ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏହାକୁ ନେଇ ଆକ୍ସନମୋଡକୁ ଆସିଛନ୍ତି । ବିହାର ବିଧାନସଭାରେ ତେଜସ୍ୱୀ କହିଛନ୍ତି କି, ଯଦି ନିର୍ବାଚନ ଆୟୋଗ ଏହାକୁ ବନ୍ଦ ନକରନ୍ତି ତେବେ ଆଗାମୀ ଦିନରେ ତାଙ୍କ ଦଳ ନିର୍ବାଚନରେ ଭାଗ ନେବନାହିଁ ।
ତେଜସ୍ୱୀ ଯାଦବ କହିଛନ୍ତି, ଯଦି ନିର୍ବାଚନ ଆୟୋଗ ଏସଆଇଆରର ପାରଦର୍ଶିତା ନଆଣନ୍ତି ତେବେ ଇଣ୍ଡିଆ ମେଣ୍ଟ ବିହାର ନିର୍ବାଚନକୁ ବହିଷ୍କାର କରିବା ନେଇ ବିଚାର କରିବ । ଏନେଇ ସେ ତୁରନ୍ତ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରିବାକୁ ସୂଚନା ଦେଇଛନ୍ତି । ସେ ନିର୍ବାଚନକ ଆୟୋଗଙ୍କୁ ଟାର୍ଗେଟ୍ କରି କହିଛନ୍ତି କି, ଯଦି ନିର୍ବାଚନରେ ସ୍ୱଚ୍ଛତା ରହିବ ନାହିଁ ତେବେ ନିର୍ବାଚନ କରିବାର କୌଣସି ଆବଶ୍ୟକତା ନାହିଁ । ବରଂ ବିହାରରେ ବିଜେପିକୁ ବିଜୟୀ ବୋଲି ନିର୍ବାଚନ ଆୟୋଗ ଘୋଷଣା କରନ୍ତୁ । ଏବେ ବିଜେପି ନିର୍ବାଚନ କମିଶନଙ୍କ ମଧ୍ୟରେ ଏକ ଚୁକ୍ତି ହୋଇସାରିଛି, ତେଣୁ ଏଭଳି ସ୍ଥିତିରେ ଅନ୍ୟଦଳମାନେ ନିର୍ବାଚନରେ ଭାଗ ନେବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଏବେ ପ୍ରଶ୍ନ ଉଠୁଛି ଯଦି ଯଦି ମହାମେଣ୍ଟର ସମସ୍ତ ଦଳ ନିର୍ବାଚନ ବହିଷ୍କାର କରନ୍ତି ତେବେ ବିହାରରେ ନିର୍ବାଚନ ହେବ ନାହିଁ ?
ଆରଜେଡି ନେତା ତେଜସ୍ୱୀ ଯାଦବ ଯେଭଳି ଭାବେ ନିର୍ବାଚନ ବହିଷ୍କାର କରିବାକୁ ନେଇ ବୟାନ ଦେଇଛନ୍ତି ତାକୁ ନେଇ ବିହାର ରାଜନୀତିରେ ନୂଆମୋଡ ଆସିଛି । ତେଜସ୍ୱୀଙ୍କ ଏଭଳି ବୟାନ ପରେ ଏବେ ସାରା ଦେଶର ନଜର ମହାମେଣ୍ଟର ନିଷ୍ପତ୍ତି ଉପରେ । ବିଶେଷଜ୍ଞଙ୍କ କହିବା କଥା ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା, ତେଣୁ କୌଣସି ଦଳ ବା ମେଣ୍ଟ ନିର୍ବାଚନକୁ ବହିଷ୍କାର କରି ନିର୍ବାଚନ ପ୍ରକ୍ରିୟାକୁ ଅଟକାଇବା ଅସମ୍ଭବ ।
ସୁପ୍ରିମକୋର୍ଟ ଓକିଲ ଧ୍ରୁପ ଗୁପ୍ତାଙ୍କ କହିବା କଥା ନିର୍ବାଚନ କରାଇବା କାମ ନିର୍ବାଚନ ଆୟୋଗଙ୍କର । ସମ୍ବିଧାନର ଅନୁଛେଦ ୩୨୪ କ ୍ରମରେ ନିର୍ବାଚନ ଆୟୋଗ ନିର୍ବାଚନ କରାଇଥାନ୍ତି । ସେ ତାଙ୍କର ପ୍ରକ୍ରିୟା ନିର୍ଦ୍ଧାରିତ କରିଥାନ୍ତି । ଏହି ଆଇନ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ନିୟନ୍ତ୍ରଣ କରିବାର କ୍ଷମତା ଦେଇଛି । ଏହା ଉପରେ କେହି ବି ପ୍ରତିବନ୍ଧକ ଲଗାଇପାରିବେ ନାହିଁ । ନିର୍ବାଚନ ଆୟୋଗ ନିର୍ବାଚନର ନିରପେକ୍ଷତା ଉପରେ ଗୁରୁତ୍ୱ ଦେବା ସହ ସମସ୍ତଙ୍କୁ ନିର୍ବାଚନରେ ସମାନ ଅଧିକାର ମିଳିବା ଉପରେ ମଧ୍ୟ କାମ କରିଥାନ୍ତି । ସେପଟେ ସାଂସଦ ପପୁ ଯାଦବ କହିଛନ୍ତି କି, ଯଦି ନିର୍ବାଚନ ଆୟୋଗ ଏଭଳି ପକ୍ଷପାତିତା ଜାରି ରଖିବେ ତେବେ ବିରୋଧୀଦଳମାନେ ନିର୍ବାଚନ ଲଢି କିଛି ଫାଇଦା ପାଇବେ ନାହିଁ । ତେଣୁ ବିରୋଧୀଦଳମାନଙ୍କ ପାଖରେ ନିର୍ବାଚନ ବହିଷ୍କାର କରିବା ଶେଷ ବିକଳ୍ପ ।
ତେଜସ୍ୱୀଙ୍କ ବହିଷ୍କାର, କ'ଣ ପଡିବ ପ୍ରଭାବ ?
ଠିକ୍ ସମୟରେ ନିର୍ବାଚନ କରାଇବା ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ । ଯଦି କୌଣସି ରାଜନୈତିକ ଦଳ ନିର୍ବାଚନକୁ ବହିଷ୍କାର କରନ୍ତି ତେବେ ତାର ପ୍ରଭାବ କେବଳ ସେହି ପାର୍ଟିର ରଣନୀତି ଉପରେ ପଡିପାରେ । କିନ୍ତୁ ଏହାର କୌଣସି ପ୍ରଭାବ ନିର୍ବାଚନ ପ୍ରକ୍ରିୟା ଉପରେ ପଡ଼ିବ ନାହିଁ । ଯଦି କୌଣସି ବିରୋଧୀଦଳ ପକ୍ଷରୁ ପ୍ରାର୍ଥୀ ଦିଆନଯିବ, ତେବେ କେବଳ କ୍ଷମତାରେ ଥିବା ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଆୟୋଗ ନିର୍ବାଚନ କରିପାରିବ । ଅର୍ଥାତ ବିହାରରେ ଯଦି ବିରୋଧୀଦଳ ନିର୍ବାଚନକୁ ବହିଷ୍କାର କରନ୍ତି ତେବେ ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡିବ ନାହିଁ । କେବଳ ମତଦାନ ହାର କମିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ନିର୍ବାଚନ ବହିଷ୍କାରର ଇତିହାସ :
ବିହାରରେ ପ୍ରଥମଥର ବିରୋଧୀ ନିର୍ବାଚନକୁ ବହିଷ୍କାର କରିବାକୁ ଚିନ୍ତା କରୁଥିବା ବେଳେ ପୂର୍ବରୁ ଜମ୍ମୁ-କାଶ୍ମୀର ଓ ପୂର୍ବ ଭାରତରେ ଏଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି । ନିର୍ବାଚନକୁ ବହିସ୍କାର କୌଣସି ଆତଙ୍କୀ ସଂଗଠନ ନୁହେଁ ବରଂ ପ୍ରଥମଥର ପାଇଁ ଜମ୍ମୁ-କାଶ୍ମୀରରେ ନ୍ୟାସନାଲ କନଫରେନ୍ସ କରିଥିଲା । ଭାରତରେ ନିର୍ବାଚନକୁ ବହିଷ୍କାରର ଉଦାହରଣ ପୂର୍ବରୁ ବି ଅନେକ ଥର ଦେଖିବାକୁ ମିଳିଛି । ହେଲେ ଏହାର ପ୍ରଭାବ ସୀମିତ । ୧୯୮୯-୯୦ ରେ ଜମ୍ମୁ-କାଶ୍ମୀରରେ କିଛି ଆତଙ୍କୀ ସଂଗଠନ ସହ ସ୍ଥାନୀୟ ଦଳମାନେ ସେଠିକାର ହିଂସା ସ୍ଥିତିକୁ ନଜରରେ ରଖି ନିର୍ବାଚନକୁ ବହିଷ୍କାର କରିଥିଲେ । ଏହାର ମଞ୍ଜି ପୋତିଥିଲେ ଶେଖ୍ ଅବ୍ଦୁଲ୍ଲା । କେବେ ଦଳଗତ କ୍ଷମତାର କ୍ଷତି ଅଧାରରେ ସେ କେବେ ନିର୍ବାଚନରେ ଭାଗ ନେଉଥିଲେ ତ କେବେ ନିର୍ବାଚନକୁ ବହିଷ୍କାର କରୁଥିଲେ । ସେହିଭଳି ୧୯୮୯ ମସିହା ମିଜୋରମ ବିଧାନସଭା ନିର୍ବାଚନ ବେଳେ ମିଜୋ ନ୍ୟାସନାଲ ଫ୍ରଣ୍ଟ କେଂଗ୍ରେସ ସରକାରକୁ ବିରୋଧ କରି ନିର୍ବାଚନକୁ ବହିଷ୍କାର କରିଥିଲା । ହେଲେ ଏକା କଂଗ୍ରେସ ନିର୍ବାଚନ ଲଢି ୪୦ ରୁ ୪୦ ଆସନରେ ବିଜୟୀ ହୋଇ ପୁଣି ସରକାର ଗଠନ କରିଥିଲା । ଏହାକୁ ନେଇ ବିରୋଧୀଦଳମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏଥିରେ ସୁପ୍ରିମକୋର୍ଟ କହିଥିଲେ କି କୌଣସି ଦଳ ନିର୍ବାଚନକୁ ବହିଷ୍କାର କଲେ ବି ନିର୍ବାଚନ ରଦ୍ଦ ହୋଇପାରିବ ନାହିଁ ।
କାଶ୍ମୀରରେ ନିର୍ବାଚନ ବହିଷ୍କାରର ଇତିହାସ :
୧୯୪୬ ମସିହାରେ କାଶ୍ମୀର ରାଜନୀତିରେ ଦୁଇ ପ୍ରମୁଖ ଦଳ ଥିଲେ । ଶେଖ୍ ଅବ୍ଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ଓ ମୁସଲିମ୍ କନଫରେନ୍ସ ମୁଖ୍ୟ ଥିଲେ । ରାଜା ଯେତେବେଳେ ପ୍ରଜା ସଭାର ନିର୍ବାଚନ ଘୋଷଣା କରିଥିଲେ ସେତେବେଳେ ନ୍ୟାସନାଲ କନଫରେନ୍ସ ଏହି ନିର୍ବାଚନକୁ ବହିସ୍କାର ଘୋଷଣା କରିଥିଲା । ହେଲେ ମୁସଲିମ୍ କନଫରେନ୍ସ ନିର୍ବାଚନରେ ଭାଗ ନେଇ ବହୁମତ ହାସଲ କରିଥିଲା । ଏହି କ୍ରମରେ ୧୯୫୩ ରୁ ୧୯୭୨ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଯେତେ ନିର୍ବାଚନ ହୋଇଛି ନ୍ୟାସନାଲ କନଫରେନ୍ସ ସମସ୍ତ ନିର୍ବାଚନକୁ ବହିଷ୍କାର କରିଥିଲା । ଏହାପରେ ୧୯୯୬ ରେ ହୋଇଥିବା ସଂସଦୀୟ ନିର୍ବାଚନକୁ ବି ନ୍ୟାସନାଲ କନଫରେନ୍ସ ବହିଷ୍କାର କରିଥିଲା । ଏହାପରେ ୧୯୯୯ ରେ ଜମ୍ମୁ-କାଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନକୁ କିଛି ଦଳ ବହିଷ୍କାର କରିଥିଲେ । ହେଲେ ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା ।
ମିଜୋରମରେ ନିର୍ବାଚନ ବହିଷ୍କାର :
୧୯୮୯ ମସିହାରେ ମିଜୋରମ ବିଧାନସଭା ନିର୍ବାଚନକୁ ମିଜୋ ନ୍ୟାସନାଲ ଫ୍ରଣ୍ଟ ବହିଷ୍କାର କରିଥିଲା । କଂଗ୍ରେସ ସରକାରକୁ ବିରୋଧ କରି ମିଜୋ ଫ୍ରଣ୍ଟ ନିର୍ବାଚନକୁ ବହିଷ୍କାର କରିଥିବା ବେଳେ ଏକାକୀ କଂଗ୍ରେସ ନିର୍ବାଚନ ଲଢି ସମସ୍ତ ଆସନରେ ବିଜୟୀ ହୋଇଥିଲା । ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହେଲେ କୋର୍ଟ ବହିଷ୍କାର ଅଧାରରେ ନିର୍ବାଚନକୁ ରଦ୍ଦ କରିବାକୁ ମନା କରିଦେଇଥିଲେ ।
ପଞ୍ଜାବ ଓ ହରିଆଣାରେ ନିର୍ବାଚନ ବହିଷ୍କାର :
ପୂର୍ବତ୍ତୋର ରାଜ୍ୟ ମଣିପୁର, ନାଗାଲାଣ୍ଡରେ ସ୍ଥାନୀୟ ସଂଗଠନମାନେ ସମୟ ସମୟରେ ନିର୍ବାଚନ ବହିଷ୍କାର କରିବାକୁ ଅପିଲ କରିଥାନ୍ତି । ହେଲେ ଏହା ନିର୍ବାଚନ ପ୍ରକ୍ରିୟାରେ କେବେ ବି ବାଧକ ହୋଇନାହିଁ । ହେଲେ ଏସବୁ ଆଧାରରେ ଭୋଟହାର ନିଶ୍ଚିନ୍ତ ଭାବେ କମିଥାଏ । ୧୯୯୧ ମସିହାରେ ପଞ୍ଜାବ ବିଧାନସଭା ନିର୍ବାଚନକୁ କଂଗ୍ରେସ ବହିଷ୍କାର କରିଥିଲା । ହେଲେ ନିର୍ବାଚନ ପୂର୍ବରୁ ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ନିର୍ବାଚନ ରଦ୍ଦ କରାଯାଇଥିଲା । ଏହା ବ୍ୟତୀତ ୨୦୧୪ ମସିହାରେ ହରିଆଣା ପଞ୍ଚାୟତ ନିର୍ବାଚନରେ କିଛି ବିରୋଧୀ ଦଳ କିଛି ଅଞ୍ଚଳରେ ଶିକ୍ଷା ଓ ରୋଜଗାର ମାନଦଣ୍ଡକୁ ବିରୋଧ କରି ନିର୍ବାଚନକୁ ବହିଷ୍କାର କରିଥିଲେ ।
ଏବେ ଆସନ୍ତୁ ଜାଣିବା ଯଦି ମହାମେଣ୍ଟ ବିହାର ବିଧାନସଭା ନିର୍ବାଚନକୁ ବହିଷ୍କାର କରନ୍ତି ତେବେ କ'ଣ ପଡିବ ପ୍ରଭାବ । ବିହାର ବିଧାନସଭାର କାର୍ଯ୍ୟକାଳ ଅଗଷ୍ଟ ୨୨ ତାରିଖରେ ସମାପ୍ତ ହେବାକୁ ଯାଉଛି । ଅନୁମାନ କରାଯାଉଛି କି, ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବିହାର ବିଧାନସଭା ପାଇଁ ନିର୍ବାଚନ ହୋଇପାରେ । ସେପଟେ ଏସଆଇଆର ପ୍ରକ୍ରିୟା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବ । ଏହାପରେ ବିରୋଧୀଦଳମାନେ କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ସେତେବେଳେ ଜଣାପଡିବ ତେଜସ୍ୱୀଙ୍କ ବୟାନ କେବଳ ନିର୍ବାଚନ ଆୟୋଗଙ୍କ ଉପରେ ଚାପ ପକାଇବାକୁ ଏକ ରଣନୀତି ନା ବାସ୍ତବରେ ବିରୋଧୀ ନିର୍ବାଚନକୁ ବହିଷ୍କାର କରିବେ ।