କନକ ବ୍ୟୁରୋ: ବିହାରରେ ଭୋଟ୍ ପଡ଼ିବା ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବଡ଼ ଘୋଷଣା । ପ୍ରତି ଘରକୁ ଗୋଟିଏ ଲେଖାଏଁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଲେ ଲାଲୁ ନନ୍ଦନ ତେଜସ୍ୱୀ ଯାଦବ । ତେବେ ବିହାରରେ ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟ୍ ପଡ଼ିବାକ ଯାଉଛି, ଆଉ ଏହା ପୂର୍ବରୁ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ତେଜସ୍ୱୀ ଏପରି ବଡ଼ ଘୋଷଣା କରିଥିବା କୁହାଯାଉଛି । ସରକାରୀ ଚାକିରି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ମହାମେଣ୍ଟର ସରକାର ଆସିଲେ ପ୍ରତି ଘରକୁ ଗୋଟିଏ ଲେଖାଏଁ ସରକାରୀ ଚାକିରି ଦେବାକୁ ତେଜସ୍ୱୀ ଘୋଷଣା କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀ କରି ତେଜସ୍ୱୀ ଯାଦବ କହିଛନ୍ତି, " ନିର୍ବାଚନ ପ୍ରଚାର ଆରମ୍ଭ ହୋଇସାରିଛି ଏବଂ ଆମେ ପୂର୍ବରୁ କହିଛୁ ଯେ ସରକାର ଆମ ଘୋଷଣାଗୁଡ଼ିକୁ ନକଲ କରୁଛନ୍ତି । ବିହାରରେ ବେକାରୀ ଏକ ପ୍ରମୁଖ ସମସ୍ୟା ଆଉ ଆମେ ୧୭ ମାସର ସରକାରରେ ଲୋକଙ୍କୁ ଚାକିରି ଦେଇଥିଲୁ । ହେଲେ ଆଜି ସେମାନେ ବେକାରୀ ଭତ୍ତା ବିଷୟରେ କଥା ହେଉଛନ୍ତି । ତେବେ ବିହାରର ପ୍ରତ୍ୟେକ ପରିବାର ଯାହାଙ୍କ ପାଖରେ ସରକାରୀ ଚାକିରି ନାହିଁ, ସେମାନଙ୍କୁ ଏକ ସରକାରୀ ଚାକିରି ଯୋଗାଇବା ପାଇଁ ଏକ ନୂତନ ଆଇନ ପ୍ରଣୟନ କରାଯିବ। ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଏହି ଆଇନ ପ୍ରଣୟନ କରାଯିବ ଏବଂ ୨୦ ମାସ ଭିତରେ ବିହାରରେ ଏପରି କୌଣସି ପରିବାର ରହିବ ନାହିଁ ଯାହାଙ୍କ ପାଖରେ ସରକାରୀ ଚାକିରି ନଥିବ । ”
ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଲୋକ ପଚାରିବେ ଯେ ଆମେ ଯାହା ଘୋଷଣା କରୁଛୁ ତାହା କିପରି ପୂରଣ କରିବୁ । ହେଲେ ଆମେ ସମସ୍ତ ତଥ୍ୟ ସଂଗ୍ରହ କରିଛୁ ଏବଂ ସମସ୍ତ ସର୍ଭେ କରିଛୁ । ତେଣୁ ଯାହା ସମ୍ଭବ ହେବ ସେନେଇ ସେ ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ତେଜସ୍ୱୀ ଯାଦବ ।
ସେପଟେ ତେଜସ୍ୱୀଙ୍କ ଏପରି ଘୋଷଣା ପରେ ଜେଡିୟୁ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ଜେଡିୟୁ ମୁଖପାତ୍ର ଅଭିଷେକ ଝା କହିଛନ୍ତି, "ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଏବଂ ସମଗ୍ର ମହାମେଣ୍ଟ ଅନୁଭବ କରୁଛନ୍ତି ଯେ ସେମାନେ ଆଗାମୀ ନିର୍ବାଚନରେ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ନୀତୀଶ କୁମାର ପୂର୍ବରୁ ବିହାରର ଲୋକମାନଙ୍କୁ ବିଭିନ୍ନ ଯୋଜନା ଅଧୀନରେ ସମସ୍ତ ସୁବିଧା ପ୍ରଦାନ କରିସାରିଛନ୍ତି । ଜନସାଧାରଣ ତେଜସ୍ୱୀ ଯାଦବଙ୍କ ଚାକିରି ପାଇଁ ଜମି ମଡେଲକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ଏବେ ଆମେ ଜମି ବଦଳରେ ଆପଣଙ୍କଠାରୁ କୌଣସି ଚାକିରି ନେବାକୁ ଚାହୁଁନାହୁଁ। "
ସୂଚନାଯୋଗ୍ୟ ଯେ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟ ରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬ (୧୨୧ ଆସନ) ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧ (୧୨୨ ଆସନ) ରେ ଅନୁଷ୍ଠିତ ହେବ । ଯାହାର ରେଜଲ୍ଟ ଆସନ୍ତା ନଭେମ୍ବର ୧୪ ରେ ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/10/09/tejaswi-2025-10-09-14-27-04.jpg)