କନକ ବ୍ୟୁରୋ : ବିହାର ରାଜନୀତିରେ ହଲଚଲ । ନୂଆ ରାଜନୈତିକ ଦଳ ଗଠନ କରିବେ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ । ଆରଜେଡି ଏବଂ ନିଜ ପରିବାରରୁ ବହିଷ୍କାର ହୋଇଛନ୍ତି ତେଜ ପ୍ରତାପ । ଶେଷରେ ସେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଯୁବ, ଛାତ୍ର ଓ ଗ୍ରାମାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ତେଜପ୍ରତାପ । ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନ ଏକା ଲଢ଼ିବ କି କୌଣସି ଦଳ ସହ ମେଣ୍ଟ କରିବ ତାହା ତେଜ୍ ପ୍ରତାପ ସ୍ପଷ୍ଟ କରିନାହାନ୍ତି ।
କିଛିଦିନ ତଳେ ଜଣେ ଯୁବତୀଙ୍କ ସହ ତେଜପ୍ରତାପଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଆରଜେଡି ଓ ନିଜ ପରିବାରରୁ ବହିଷ୍କାର କରିଥିଲେ ବାପା ଲାଲୁ ପ୍ରସାଦ ଯାଦବ । ତେଜ ପ୍ରତାପ ନୂଆ ରାଜନୈତିକ ଦଳ ଗଠନ କଲେ ତାଙ୍କ ବାନ୍ଧବୀ ଅନୁଷ୍କା ଯାଦବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି । କିଛିଦିନ ତଳେ ଅନୁଷ୍କାଙ୍କ ଘରକୁ ଯାଇ ତେଜ ପ୍ରତାପ ବେଶ୍ କିଛି ସମୟ ଆଲୋଚନା କରିଥିଲେ । ତେବେ ଏନେଇ ଅନୁଷ୍କାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ସାନପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ଏକ ବଡ଼ ଆହ୍ୱାନ । ସେପଟେ ଆଗାମୀ ବିଧାନସଭା ନିର୍ବାଚନରେ ତେଜ ପ୍ରତାପଙ୍କୁ ବିଜେପି ଓ ଜେଡିୟୁ ବଡ଼ ଅସ୍ତ୍ର କରିପାରନ୍ତି ବୋଲି ରାଜନୈତିକ ମହଲରେ ବିଚାର କରାଯାଉଛି । ଆସନ୍ତା ଅକ୍ଟୋବର- ନଭେମ୍ୱର ମାସରେ ବିହାର ବିଧାନସଭା ନିର୍ବାଚନ ହେବ ।