କନକ ବ୍ୟୁରୋ : ସୁନ୍ଦରଗଡ଼ ଖଣି ଚୋରି ମାମଲାରେ ଉତ୍ତର ରଖିଲେ ତତ୍କାଳୀନ ହେମଗିରି ତହସିଲଦାର । ଖଣି ଚୋରି ଚିଠି ଲୁଚାଇବା ଅଭିଯୋଗରେ ହୋଇଥିଲା କାରଣ ଦର୍ଶାଅ ନୋଟିସ୍,ଇ-ମେଲ୍ ଯୋଗେ ଜିଲ୍ଲାପାଳଙ୍କୁ ଉତ୍ତର ଦେଲେ ତହସିଲଦାର ।
ଆଜି ଦ୍ଵିତୀୟ ଦିନରେ ବି ଚାଲିଛି ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ାଉ । ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ ଓ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି ଉପନିର୍ଦ୍ଦେଶକ । ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ମଧ୍ୟ ଚାଲିଛି ଚଢ଼ାଉ । ଚୋରା କୋଇଲା କେଉଁଠିକୁ ଯାଉଛି ତାହାର ଚେର ଖୋଜୁଛି ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ସ୍ୱତନ୍ତ୍ର ଟିମ୍ । ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ୍ ଖଣି ଖନନକୁ ନେଇ କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ବିଭାଗ । ତେଲେନ୍ଡିହି, ରତନସରାରେ ଓ ଭୋଗରାକଛାର ପରେ ବଣାଇ ମୂଶାପୋଷରୁ ଆଦି ଅଞ୍ଚଳରୁ ଆସିଛି ଖଣି ଲୁଟ୍ର ଅଭିଯୋଗ । ବର୍ଷ ବର୍ଷ ଧରି ମାଫିଆମାନେ ଜଙ୍ଗଲ ଭିତରେ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚୋରା ଚାଲାଣ କରି ଆସୁଛନ୍ତି । ତେବେ ଖଣି ଚୋରିର କାର୍ପଟଦାର କିଏ, କାହା ଇସାରାରେ ବର୍ଷ ବର୍ଷ ଧରି ଚାଲିଛି ଲୁଟ୍, ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।