କନକ ବ୍ୟୁରୋ: ତହସିଲ କର୍ମଚାରୀଙ୍କ କଳାକାରନାମା । ଜାଲ ଦସ୍ତଖତ କରି ଲୋକଙ୍କ ଜମିକୁ ଘରୋଇ କମ୍ପାନି ନାମରେ କରିଦେଲେ । ଜଣେ କି ଦୁଇଜଣ ନୁହେଁ ୧୦୦ରୁ ଅଧିକ ଲୋକଙ୍କ ଜମିକୁ ଘରୋଇ କମ୍ପାନି ନାମରେ କରାଯାଇଛି । ଜାଲିଆତି ବାବଦରେ ଜାଣିବା ପରେ ଆର୍.ଆଇ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଠକେଇର ଶିକାର ହୋଇଥିବା ଜମି ମାଲିକ ।
୧୯୮୨ ମସିହାରେ ଆସିକା ସୂତାକଳ ପାଇଁ ସରକାରଙ୍କୁ ଜମି ଦେଇଥିଲେ ଆସିକା ବ୍ଲକର କେ.ନୂଆଁପଲ୍ଲୀ, ମାଗୁରା, ଧୋବାପଲ୍ଲୀ, କୋଟିନଡା ଗାଁର ଅନେକ ଚାଷୀ । ବିଭିନ୍ନ କାରଣରୁ ୨୦୦୭ରେ କାରଖାନାକୁ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରି ଦେଇଥିଲେ ସରକାର । ସେ ମଧ୍ୟ ଠିକ୍ ଭାବେ ଚଳାଇ ନପାରିବାରୁ ୨୦୧୨ରୁ ବନ୍ଦ ରହିଛି କାରଖାନା । ସୂତାକଳ ବନ୍ଦ ହେବା ପରେ ଲୋକଙ୍କ ଜମି ଫେରାଇ ଦେଇଥିଲେ ସରକାର । ଚଞ୍ଚକତା କରି ସେହି ଜମିକୁ କମ୍ପାନି ହାତକୁ ଟେକି ଦେଇଛନ୍ତି ଆସିକା ତହସିଲର କିଛି ଅସାଧୁ କର୍ମଚାରୀ । ଲୋକଙ୍କ ଅଜାଣତରେ ଜାଲଦସ୍ତଖରେ ପଟ୍ଟା କରାଯାଇଥିବା ଅଭିଯୋଗ ହୋଇଛି ।
ମେ’ ୧୩ ତାରିଖରେ ତହସିଲରୁ କେ.ନୂଆପଲ୍ଲୀ ଗାଁର କିଛି ଲୋକଙ୍କୁ ଆସିଥିଲା ଏକ ନୋଟିସ୍ । ସେଥିରେ ଉଲ୍ଲେଖ ଥିଲା, ଆପଣଙ୍କ ଜମି ଜର୍ଜ ଡିଷ୍ଟ୍ରବ୍ୟୁଟର ନାମରେ କରାଯାଇଛି, ନିଜ ପକ୍ଷ ରଖ । ନୋଟିସ ପାଇବା ପରେ ଲୋକେ ଆର୍.ଆଇ ଅଫିସରେ ପହଞ୍ଚିଥିଲେ । ସେଠାରୁ ଜାଣିବାକୁ ପାଇଥିଲେ ଜାଲ୍ ଦସ୍ତଖତ କରି ସେମାନଙ୍କ ଜମିକୁ ସୂତାକଳ ନେଇଥିବା ଘରୋଇ କମ୍ପାନି ନାଁରେ କରାଯାଇଛି । ଏହାପରେ ଜାଲିଆତିର ଶିକାର ହୋଇଥିବା ଲୋକେ ଏକାଠି ହୋଇ ଆର୍.ଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନ୍ୟାୟ ନମିଳିଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
କେବଳ ଘରୋଇ ଜମି ନୁହେଁ, ପାହାଡ଼, ପର୍ବତ, ପୋଖରୀ ଓ ଗୋଚର ଜମିକୁ ମଧ୍ୟ ଜର୍ଜ ଡିଷ୍ଟ୍ରିବ୍ୟୁଟର ନାଁରେ ପଟ୍ଟା କରାଯାଇଥିବା ଅଭିଯୋଗ ହୋଇଛି । ଘରୋଇ କମ୍ପାନି ପ୍ରତି ତହସିଲର ଏତେ ଅନୁକମ୍ପା କାହିଁକି ? ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।