କନକ ବ୍ୟୁରୋ : ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବାବେଳେ ତେହେରାନ ଓ ୱାସିଂଟନ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପର୍କିତ ଏକ ପୁରୁଣା ରିପୋର୍ଟ ସାମ୍ନାକୁ ଆସିଛି। ଇରାନ ଏହି ରିପୋର୍ଟ ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛି। ଇରାନର ଉପ ବିଦେଶ ମନ୍ତ୍ରୀ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଆମେରିକା ସନ୍ତୋଷଜନକ ବିକଳ୍ପ ଦେଲେ ସେମାନେ ନିଜର ପରମାଣୁ କାର୍ୟ୍ୟକ୍ରମ ବନ୍ଦ କରିବାକୁ ରାଜି ଥିଲେ।
ଜାତୀୟ ଗଣମାଧ୍ୟମ ଆଇଆର୍ଏନ୍ଏ ଅନୁଯାୟୀ, ଯୁଦ୍ଧ ଷଷ୍ଠ ଦିନରେ ପ୍ରବେଶ କରିଥିବାବେଳେ ଇରାନର ଉପ ବିଦେଶ ମନ୍ତ୍ରୀ ମାଜିଦ୍ ତଖ୍ତ-ରାଭାଞ୍ଚି ଆମେରିକା ସହିତ ଯୁଦ୍ଧପୂର୍ବରୁ ପରମାଣୁ କାର୍ୟ୍ୟକ୍ରମ ସମ୍ପର୍କରେ ଚାଲିଥିବା କଥାବାର୍ତ୍ତା ସମ୍ପର୍କରେ ଏହି ମତ ରଖିଥିଲେ। ରାଭାଞ୍ଚି କହିଥିଲେ, ଯଦି ଆମେରିକା ତାଙ୍କ ଦେଶର ଅର୍ଥନୀତିକୁ ପଙ୍ଗୁ କରିଦେଇଥିବା ପ୍ରତିବନ୍ଧ ପ୍ରତ୍ୟାହାର କରେ,ଇରାନ ଏହାର ୟୁରାନିୟମ ଭଣ୍ଡାର ଉପରେ ଆପୋଷ ବିଚାର କରିବ। ଆମେରିକା ଯଦି ପ୍ରକୃତରେ ଏଥିନେଇ ଆନ୍ତରିକତା ପ୍ରକାଶ କରେ ତାହାହେଲେ ଆମେ ଚୁକ୍ତି ମାର୍ଗରେ ଯିବୁ ବୋଲି ତଖ୍ତ-ରାଭାଞ୍ଚି ପ୍ରକାଶ କରିଥିଲେ। ଫେବ୍ରୁଆରି ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନି ଦେଇଥିଲେ ଯେ, ଯଦି ସେମାନେ ଜେନେଭା କଥାବାର୍ତ୍ତାବେଳେ ଚୁକ୍ତି ନ କରନ୍ତି, ତାହା ହେଲେ ଇରାନ ଘୋର ପରିଣାମ ଭୋଗ କରିବେ। ୱାସିଂଟନ-ତେହେରାନ ମଧ୍ୟରେ ଜେନେଭା ଆଲୋଚନାରେ ଅଗ୍ରଗତି ହୋଇଥିଲା ଓ ଦୁଇ ଦେଶ ଭିଏନାରେ ପୁଣି ଆଲୋଚନା କରିବାକୁ ରାଜି ହୋଇଥିଲେ। ଏହାପୂର୍ବରୁ ଫେବ୍ରୁଆରି ୨୮ରେ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲେ। ଏଥିରେ ଇରାନର ପ୍ରମୁଖ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସମେତ ଅନେକ ପ୍ରମୁଖ ନେତା ନିହତ ହୋଇଥିଲେ।
Follow Us