କନକ ବ୍ୟୁରୋ : ହାତୀ ହତ୍ୟାକାରୀ କିଏ ? ହଁ ଆମେ ଗଜରାଜଙ୍କ କଥା ହିଁ କହୁଛୁ । ଦାନ୍ତ ମିଳୁଛି, ହାତୀ ମିଳୁନି । ପାଟି ଫିଟୁନି ବୋଲି କ’ଣ ନ୍ୟାୟ ପାଇବେନି କି ଜଙ୍ଗଲି ଜନ୍ତୁ ? ମାମଲା ଉପରମୁହାଁ ଅଥଚ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରୁନି ତଦନ୍ତ । ଖୋଲାଖୋଲି ଭାବରେ ଘୂରି ବୁଲୁଛନ୍ତି ବନ୍ୟଜନ୍ତୁ ଅପରାଧୀ । ଚାଲିଛି ଜଙ୍ଗଲରାଜ । କେବେ ବନ୍ଦ ହେବ ଅଙ୍ଗ ତସ୍କରୀ ?
ବନ୍ଧା ହେଲା ଦଲାଲ । ମିଳିଲା ହାତୀ ଦାନ୍ତ । ୫୦ ଲକ୍ଷ ଟଙ୍କାରେ କାରବାର କରିବାକୁ ଯୋଜନା ବେଳେ ବାନ୍ଧିଲା ଏସ.ଟି.ଏଫ୍ । ବନ୍ୟଜନ୍ତୁ ଅପରାଧୀ ପ୍ରମୋଦ ପରିଡ଼ାକୁ ବୌଦ୍ଧ - ସୋନପୁର ରାସ୍ତାରୁ ହାତୀ ଦାନ୍ତ ସହ ଗିରଫ କରାଗଲା । ଆମ ଜଙ୍ଗଲରେ କେତେ ସୁରକ୍ଷିତ ବନ୍ୟଜନ୍ତୁ ? କୁହାଯାଉଛି ଏହି ଦନ୍ତା ହାତୀର ବୟସ ପାଖାପାଖି ୧୨ ବର୍ଷ ହେବ । ହେଲେ କେବେ କେଉଁ ଜଙ୍ଗଲରେ ଏହି ହାତୀକୁ ହତ୍ୟା କରାଯାଇ ତାର ଦାନ୍ତ ବାହାର କରାଯାଇଛି ତାର ଉତ୍ତର କାହା ପାଖରେ ନାହିଁ ।
କେବେ ଏହି ହାତୀର ମୃତ୍ୟୁ ହୋଇଛି ? କେତେ ଜଣ ଶିକାରୀ ହାତୀକୁ ହତ୍ୟା କରି ତାର ଅଙ୍ଗ ତସ୍କରୀ କରିଛନ୍ତି ? ପ୍ରମୋଦ କେଉଁଠୁ ଆଣିଲା ଏହି ହାତୀ ଦାନ୍ତ । ଦାନ୍ତ ଦେଇଥିବା ଶିକାରୀ ଏବେ କେଉଁଠି ଅଛି । ତାହା ଏବେବି ଅସ୍ପଷ୍ଟ । ବୌଦ୍ଧ ଜଙ୍ଗଲରେ ହାତୀକୁ ହତ୍ୟା କରାଯାଇଛି, ନା ଅନ୍ୟ କେଉଁ ଜଙ୍ଗଲରୁ ହାତୀକୁ ମାରି ତା ଦାନ୍ତ କାଢି ନେଇଛନ୍ତି ଅପରାଧୀ ।
ଗତ ୫ ବର୍ଷ ଭିତରେ ଏସଟିଏଫ୍ ମୋଟ ୯୫ଟି ବନ୍ୟଜନ୍ତୁ ଅପରାଧ ମାମଲା ରୁଜୁ କରିଛି । ୨୦୨୧ରେ ୧୨ଟି, ୨୦୨୨ରେ ୧୪ଟି ହାତୀ ଦାନ୍ତ ଜବତ କରାଯାଇଛି । ୫୮ଟି କଲରାପତରିଆ ବାଘ ଛାଲ, ୨ଟି ବାଘ ଛାଲ ବି ଜବତ ହୋଇଛି । ଏସବୁ ଘଟଣା ପଛର ଚିତ୍ର ଏବେବି ଅସ୍ପଷ୍ଟ । ଜୀବଜନ୍ତୁଙ୍କର ହତ୍ୟା ସମୟରେ ବନ ବିଭାଗ ଜାଣି ପାରୁନି କେମିତି ସେନେଇ ଉଠିଲାଣି ପ୍ରଶ୍ନ ।
ଏବେ ପ୍ରଶ୍ନ ଉଠୁଛି, ହାତୀର ଦାନ୍ତ ମିଳିଲା ହେଲେ କୁଆଡ଼େ ଗଲା ହାତୀ ? ଦଲାଲ ମିଳିଲା କୁଆଡ଼େ ଗଲେ ଶିକାରୀ ? ହାତୀ ମୃତ୍ୟୁ ନେଇ ବନ ବିଭାଗ ରୁଜୁ କରିଥିଲା କି ମାମଲା ? କେଉଁ ଜଙ୍ଗଲରେ ୧୨ ବର୍ଷର ହାତୀ ମୃତ୍ୟୁ ନେଇ ରିପୋର୍ଟ ହୋଇଥିଲା ? ଜଙ୍ଗଲୀ ଜନ୍ତୁଙ୍କୁ ସୁରକ୍ଷା ଦେବାରେ କେତେ ସଫଳ ବନ ବିଭାଗ ?