କନକ ବ୍ୟୁରୋ : ଗତ ଜୁଲାଇ ମାସରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ଥିବା ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗର୍ଭବତୀ ହୋଇଥିଲେ । ଗ୍ରୀଷ୍ମ ଛୁଟି ସାରି ସ୍କୁଲକୁ ଫେରିବା ପରେ ଏକଥା ଜଣାପଡ଼ିଥିଲା। ଜିଲ୍ଲା ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ରାଙ୍ଗାପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଜଣେ ନାବାଳିକା ଗର୍ଭବତୀ ହୋଇ ଡାକ୍ତରଖାନା ଆସିଥିଲେ ।
ରାୟଗଡ଼ା ଜିଲ୍ଲାର ଆବାସିକ ବିଦ୍ୟାଳୟରେ ବି କିଶୋରୀ ଗର୍ଭବତୀ ହେବା ଅନେକବାର ସାମ୍ନାକୁ ଆସିଛି । କେବଳ ଏହି ଦୁଇ ଜିଲ୍ଲା ନୁହେଁ ରାଜ୍ୟରେ ବଢ଼ିଚାଲିଛି କିଶୋରୀ ମାତୃତ୍ୱ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ- ଏନ୍ଏଫ୍ଏଚ୍ଏସ୍ ୫ରେ ଏହି ପ୍ରସଙ୍ଗ ଚିନ୍ତା ବଢ଼ାଇଛି । ତେବେ କେଉଁ କେଉଁ କାରଣ ପାଇଁ କିଶୋରୀ ମାତୃତ୍ୱ ବଢୁଛି, ସେନେଇ ସମୀକ୍ଷା କରିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ୍ ଏଡ୍ ।
ରାଜ୍ୟରେ ବଢ଼ୁଥିବା କିଶୋରୀ ମାତୃତ୍ୱ ଘଟଣାର ସମୀକ୍ଷା ସମୟରେ ଜଣାପଡିଛି ଯେ, ୧୫ରୁ ୧୯ ବର୍ଷ ବୟସରେ କିଶୋରୀ ଗର୍ଭବତୀ ସଂଖ୍ୟା ବଢ଼ିଛି । ସହରରେ ୬.୧%, ଗ୍ରାମାଞ୍ଚଳରେ ୭.୯% କିଶୋରୀ ମା’ ହୋଇଛନ୍ତି । ଜାତୀୟ ହାରଠାରୁ ଓଡ଼ିଶା ହାର ଅଧିକ ଥିବାରୁ ଚିନ୍ତା ବଢ଼ିଛି । ସ୍ୱଇଚ୍ଛାରେ କିଶୋରୀମାନେ ପ୍ରେମ ବିବାହ କରିବା, ଦାରିଦ୍ର୍ୟ ଯୋଗୁଁ ଅଳ୍ପ ବୟସରେ ଝିଅଙ୍କୁ ବାହା ଦେବାରୁ ଗର୍ଭବତୀ ହେଉଛନ୍ତି କିଶୋରୀ । ନିରକ୍ଷରତା ଓ ସଚେତନତା ଅଭାବରୁ ମଧ୍ୟ ଅନେକ କିଶୋରୀ ଗର୍ଭବତୀ ହେଉଥିବା ସମୀକ୍ଷା ରିପୋର୍ଟ କହୁଛି ।
କିଶୋରୀ ଗର୍ଭବତୀମାନେ ମମତା ଯୋଜନାର ସୁବିଧା ପାଇବାକୁ ଇଚ୍ଛା କରିବାରୁ କିଶୋରୀ ମାତୃତ୍ୱ ବଢ଼ିଚାଲିଛି ଜଣାପଡ଼ିଲା । ତେବେ ମୟୂରଭଞ୍ଜ ଓ ବୌଦ୍ଧରେ କିଶୋରୀ ମାତୃତ୍ୱ ଅଧିକ ରହିଛି ।