କନକ ବ୍ୟୁରୋ : ଖୋର୍ଦ୍ଧାରୁ ଆସିଛି ବିଭାଗୀୟ ଅବହେଳାର ସାଂଘାତିକ ଅଭିଯୋଗ । ଆପ୍‌ ଅପଗ୍ରେଡେସନ୍‌ରେ ତ୍ରୁଟି ଯୋଗୁ ଅଧାରୁ ଅଧିକ କିଶୋରୀ ବାଳିକା ଅଙ୍ଗନବାଡ଼ିରେ ମିଳୁଥିବା ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ଦେଖାଦେଇଛି ଅସନ୍ତୋଷ । କିପରି କିଶୋରୀ ବାଳିକା ପୁଷ୍ଟିକର ଖାଦ୍ୟ ପାଇବେ, ସେମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିପାରିବ ଏହାକୁ ଲକ୍ଷ୍ୟ ରଖି ସରକାର ପ୍ରତି ମାସରେ ଅଙ୍ଗନାବଡ଼ି ମାଧ୍ୟମରେ ବୁଟ, ଅଣ୍ଡା, ମୁଢ଼ି ଯୋଗାଇ ଆସୁଛନ୍ତି । ହେଲେ ଖୋର୍ଦ୍ଧା ବେଗୁନିଆରୁ ଆସିଛି ବିଭାଗୀୟ ଅବହେଳାର ସାଂଘାତିକ ଖବର । ଚଳିତ ମାସ ଠାରୁ ବ୍ଲକରେ ଅଧାରୁ ଅଧିକ କିଶୋରୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଇନାହିଁ । ଆପ୍‌ ଅପଗ୍ରେଡ୍‌ରେ ତ୍ରୁଟି ଯୋଗୁ ଅଧାରୁ ଅଧିକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି ।  

Advertisment

ଖୋର୍ଦ୍ଧାରେ ଅକ୍ଟୋବର ମାସ ପର୍ଯ୍ୟନ୍ତ ୪୬ ହଜାର ୬୪୧ ଜଣ କିଶୋରୀଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁଥିଲା । ଆପ୍‌ ଅପଗ୍ରେଡ ହେଲା ପରେ ନଭେମ୍ବରରୁ ୩୫ ହଜାର ୩୪୮ ଜଣଙ୍କୁ ମିଳୁଛି । ପାଖାପାଖି ୧୨ ହଜାର ଉପଭୋକ୍ତା ଏଥିରୁ ବଞ୍ଚିତ ହୋଇଛନ୍ତି । ସେହିପରି ବେଗୁନିଆରେ ପୂର୍ବରୁ ୩ ହଜାର ୩୦୭ ଜଣଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦତ୍ତ ହେଉଥିଲା । ଏବେ ଆପ ଅପଗ୍ରେଡେସନ ଯୋଗୁଁ ପାଖାପାଖି ୧୭୮୯ ଜଣ ଏଥିରୁ ବାଦ୍‌ ପଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ---ଯଦି ଆରାବଳୀ ମରିଯାଏ; ଦିଲ୍ଲୀ ହୋଇଯିବ ମରୁଭୂମି !

ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ସମୟ ସୀମା ମଧ୍ୟରେ ସମସ୍ତଙ୍କ ନାମ ପଞ୍ଜୀକୃତ ହୋଇନପାରିବା କାରଣରୁ ଏପରି ସମସ୍ୟା ଉପୁଜିଛି । ଆଉ ଥରେ ଅପଗ୍ରେଡ କରି ବାଦ ପଡ଼ିଥିବା ପିଲାଙ୍କ ନାମ ଯୋଡ଼ାଯିବ । ମହିଳା ଓ ଶିଶୁ ବିକାଶ ବିଭାଗୀର ତ୍ରୁଟି ପାଇଁ କିଶୋରୀ ମାନଙ୍କୁ ଜାନୁଆରୀ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ମିଳିବନି । ପୁଣିଥରେ ପଞ୍ଜୀକରଣ କଲେ ୩ ମାସ ପରେ ମିଳିବ ଖାଦ୍ୟ । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି ।