କନକ ବ୍ୟୁରୋ: ଜୀବନରେ ସବୁଠିକ୍ ଚାଲୁଥିବ ହେଲେ ହଠାତ୍ ସବୁକିଛି ଓଲଟ୍ ପାଲଟ୍ ହୋଇଯାଏ । କେବେ ଚିନ୍ତା କରିନଥିବା.. ଘଟଣା ସବୁ ଘଟେ, ଯାହାକୁ ସହିପାରେନି କି ଗ୍ରହଣ କରିପାରେନି ସାଦାସିଧା ମଣିଷଟିଏ । ଘୋର ମାନସିକ ଅବସାଦର ଶିକାର ହୁଏ । ନିଜର କଷ୍ଟକୁ ଭୁଲିବାକୁ ଚେଷ୍ଟା କରୁ କରୁ କେତେବେଳେ  ନିଜକୁ ଭୁଲିଯାଏ ଜାଣିପାରେନି । ଧୀରେ ଧୀରେ ପୂରା ସମାଜଠାରୁ ଦୂରେଇଯାଏ ଏମିତି ଏକ ନିଚ୍ଛକ ଘଟଣା ଘଟିଛି ନଭି ମୁମ୍ବାଇରେ  ।

Advertisment

ନଭି ମୁମ୍ବାଇ ଗୁଇନଗର ସ୍ଥିତ ସେକ୍ଟର-୨୪ ସୋସାଇଟିରେ ରହୁଥିବା ୫୫ ବର୍ଷୀୟ ଇଞ୍ଜିନିୟର ଅନୁପ ମକୁମାର ନାୟରଙ୍କୁ  ଅତି ଦୁଃସ୍ଥ ଅବସ୍ଥାରେ ଉଦ୍ଧାର କରିଛନ୍ତି କିଛି ସାମାଜିକ କର୍ମୀ । ଦୀର୍ଘ ୩ ବର୍ଷ ନିଜକୁ ଆପର୍ଟମେଣ୍ଟରେ ନିଜକୁ ନିଜେ ବନ୍ଦୀ କରିଥିଲେ ଅନୁପ । ଗଭୀର ମାନସିକ ଆଘାତ ଓ ଅବସାଦ ଯୋଗୁଁ ଅନୁପ ନିଜକୁ ଏହି ସ୍ଥିତିକୁ ଠେଲି ଦେଇଥିଲେ ।

ଅନୁପ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର । ଗତ ୩ ବର୍ଷ ଧରି ଅନୁପ ବାହାର ଦୁନିଆ ଦେଖିନାହାନ୍ତି । ସୂର୍ଯ୍ୟାଲୋକ ଦେଖିନାହାନ୍ତି । କେବଳ ଫୁଡ୍ ଡେଲିଭରି ବୟ ଖାଦ୍ୟ ଆଣି ଆସିଲାବେଳେକୁ କବାଟ ଟିକେ ଖୋଲନ୍ତି । ବାସ୍ ସେତିକି ।  ପଡ଼ିଶାଙ୍କ ଠାରୁ ତାଙ୍କ ବିଷୟରେ ଶୁଣି ତାଙ୍କୁ ଉଦ୍ଧାର କରିବାକୁ  ଯେତେବେଳେ ସ୍ବେଚ୍ଛାସେବୀ କର୍ମଚାରୀ ପହଞ୍ଚିଲେ, ଅନୁପଙ୍କୁ ଦେଖି ତାଙ୍କ ଆଖିକୁ ବିଶ୍ବାସ କରିପାରିନଥିଲେ । କେବେ ଚଳଚଞଳ ଥିବା ଅନୁପ ଆଜି ପାଗଳ ପରି । ନୁଖୁରା କେଶ, ଲମ୍ବା ଦାଢ଼ି, ହାତରେ ନଖ ବଡ଼ିଯାଇଛି । ସଂକ୍ରମଣ ହୋଇ ଗୋଡ଼ ସାରା ଘା । ଆଉ ଘର ଭିତରେ କୁଢ଼ କୁଢ଼ ଅଳିଆ, ଆବର୍ଜନା । ତାଙ୍କୁ ଉଦ୍ଧାର କରିଛନ୍ତି ସ୍ବେଚ୍ଛାସେବୀ  ।

ଉଦ୍ଧାର କରିବା ପରେ ଜଣାପଡ଼ିଛି ଅନୁପଙ୍କ ବନ୍ଦୀ ଜୀବନର ସତ । ୨୦ ବର୍ଷ ତଳେ ଅନୁପଙ୍କ ବଡ଼ଭାଇ ଆତ୍ମହତ୍ୟା କରିଥିଲେ  । ତା’ର କିଛି ଦିନ ପରେ ତାଙ୍କ ବାପା, ମାଆଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅନୁପ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ । ତାଙ୍କ ଜୀବନ ଯେମିତି ସେଇଠି ଅଟକିଯାଇଥିଲା । ଧୀରେ ଧୀରେ ନିଜକୁ ସମସ୍ତଙ୍କଠାରୁ ଦୂରେଇନେଲେ । ସାଙ୍ଗସାଥୀ ପଡ଼ୋଶୀ ସମସ୍ତଙ୍କଠାରୁ ସମ୍ପର୍କ କାଟିଦେଲେ । ଅନେକ ଦିନ ଅନୁପଙ୍କୁ ନଦେଖିବା ପରେ କିଛି ବ୍ୟକ୍ତି ଏକ ସ୍ବେଚ୍ଛାସେବୀଙ୍କ କାନରେ କଥା ପକାଇଥିଲେ ।  

ଅନୁପ ନାୟରଙ୍କୁ ଉଦ୍ଧାର କରାଯାଇ ଏକ ଏନଜିଓ ଆଶ୍ରମରେ ରଖାଯାଇଛି । ତାଙ୍କୁ ସାମାନ୍ୟ ସ୍ଥିତିକୁ ଫେରାଇଆଣିବାକୁ ସାଇକାଟ୍ରିଷ୍ଟମାନେ ଚେଷ୍ଟା କରୁଛନ୍ତି ।