Mandi tension Photograph: (KanakNews)
କନକ ବ୍ୟୁରୋ: ଜମିରେ ଝାଳ ବୁହାଇ, ରକ୍ତକୁ ପାଣି କରି ଖରାବର୍ଷାକୁ ଖାତିର ନକରି ଧାନ ଚାଷ କରିଥିଲା ଚାଷୀ । ଭଲ ଅମଳ ହୋଇଥିବାରୁ ଭଲ ଏବର୍ଷ ଭଲ ଦିପଇସା ଆସିବ ବୋଲି ଆଶା ରଖିଥିଲା । କିନ୍ତୁ ଅମଳ ପରେ ବଢ଼ି ଯାଇଛି ଚାଷୀଙ୍କ ଦୁଃଖ । ପଶ୍ଚିମ ଓଡ଼ିଶା ପରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିବାରେ ଲାଗିଛି ମଣ୍ଡି ଯନ୍ତ୍ରଣାର ଚିତ୍ର ।
ପଶ୍ଚିମ ଓଡ଼ିଶା ପରେ ଏବେ ଉପକୂଳ, ଆଭିନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଣ୍ଡି ଅବ୍ୟବସ୍ଥାର ବିକଳ ଚିତ୍ର ପଦାକୁ ଆସିଛି। ଭଦ୍ରକ, କେନ୍ଦ୍ରାପଡା, ଢ଼େଙ୍କାନାଳ, ଗଞ୍ଜାମ(ଖଲିକୋଟ), ପୁରୀ(ଅସ୍ତରଙ୍ଗ), କଟକ ସମେତ ଅଧିକାଂଶ ଜିଲ୍ଲାର ଚାଷୀ ଧାନ ଅମଳ କରି ବିକ୍ରି ଅପେକ୍ଷାରେ ।
ଅଧିକ ପଢନ୍ତୁ: ଡିଏଫଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ,ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ହେବ ଧାନ ଚାଷ
ଭଦ୍ରକ ଜିଲ୍ଲାରେ ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରୁନାହିଁ । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି । ସରକାର ଓ ମିଲରଙ୍କ କଳିରେ ଫସି ଯାଇଛି ଅନ୍ନଦାତା । ଛାତିରେ ଛାତିଏ କୋହକୁ ଚାପି ଭାଗ୍ୟକୁ ନିନ୍ଦୁଛି ଚାଷୀ । ଢ଼େଙ୍କାନାଳ, ଯୋଗାଣ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବି ସୁଧୁରୁନି ମଣ୍ଡି ସମସ୍ୟା । ଟୋକନ, ଟାର୍ଗେଟ, ମିଲରଙ୍କ ମନମାନି ଯୋଗୁଁ ବଢ଼ୁଛି ଚାଷୀଙ୍କ ଅସନ୍ତୋଷ ।
ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ଏପର୍ଯ୍ୟନ୍ତ ଟୋକନ ପାଇଥିବା ଅଧା ଚାଷୀଙ୍କ ଧାନ ଉଠିନି । ବହୁ ଚାଷୀ ଟୋକନ ଅପେକ୍ଷାରେ ଅଛନ୍ତି । ଯେଉଁମାନେ ଧାନ ବିକ୍ରି କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିନି।
କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତି ଆହୁରି ସାଂଘାତିକ। ଜିଲ୍ଲାରୁ ୧୨ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ସରକାର ଟାର୍ଗେଟ ରଖିଥିବାବେଳେ ଏପର୍ଯ୍ୟନ୍ତ ଅଧା ଧାନ କିଣିଛନ୍ତି। ୫୭ ହଜାର ଚାଷୀ ଟୋକନ ପାଇଥିବାବେଳେ ୧୫ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ମିଲର ଧାନ ଉଠାଉନଥିବାରୁ ଏବେ ଚାଷୀଙ୍କୁ ଭରସା ଗାଁ ବେପାରୀ ।
ବାଲେଶ୍ବର, ଯାଜପୁର, ଗଞ୍ଜାମ ଜିଲ୍ଲାରେ ମଧ୍ୟ ଲାଗି ରହିଛି ମଣ୍ଡି ଯନ୍ତ୍ରଣା । ହେଲେ, ଯୋଗାଣ ମନ୍ତ୍ରୀ କି ସମବାୟ ମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ଆଖି ଦୃଶିଆ ପଦକ୍ଷେପ ନେଉନାହାନ୍ତି । ଅନ୍ୟପଟେ ବିରୋଧୀ ମଣ୍ଡି ସମସ୍ୟାକୁ ପ୍ରସଙ୍ଗ କରି ଆନ୍ଦୋଳନ ଚଳାଇଥିବାବେଳେ ଆଗକୁ ବିଧାନସଭାରେ ଉଠାଇବାକୁ ସଜ ହେଉଛନ୍ତି ।
Follow Us