କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଜର୍ସିରେ ଆପଣ ଏଭଳି ଭାବେ ଡ୍ରିମ୍ ୧୧ ଲେଖା ହେଇଥିବେ ଦେଖିଥିବେ । ଜର୍ସିର ଛାତି ପାଖରେ ଯେଉଁଠି ଇଣ୍ଡିଆ ଲେଖାଯାଇଥାଏ, ତାର ଠିକ୍ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖାରହିଥାଏ ଡ୍ରିମ୍ ୧୧ । ଅର୍ଥାତ ଟିମ୍ ଇଣ୍ଡିଆ ସ୍ପନ୍ସର ଥାଏ ଏହି କମ୍ପାନି । ହେଲେ ଏବେ କିନ୍ତୁ ବିନା ସ୍ପନ୍ସରରେ ଏସିଆ କପ୍ ଖେଳିବ ଟିମ୍ ଇଣ୍ଡିଆ । ଭାରତରେ ନୂଆ ଗେମିଂ ବିଲ୍ ପାସ୍ ହେବା ପରେ ଏଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

Advertisment
TEAM INDIA
TEAM INDIA

କୁହାଯାଉଛି ଭାରତର ସବୁଠୁ ବଡ଼ ଫାଣ୍ଟାସି ଗେମିଂ କମ୍ପାନି ଡ୍ରିମ୍ ୧୧ ନିଜର ରିୟଲ୍ ମନି ଗେମିଂ କାରବାରକୁ ବନ୍ଦ କରିବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ବିଲ୍ ପାସ୍ ହେଲା ପରେ ଅନଲାଇନ୍ ରିୟଲ୍ ମନି ଗେମ୍ସ ଉପରେ କଟକଣା ଲାଗିଯିବ । ଯାହାକି ଏହି ସବୁ କମ୍ପାନିଗୁଡ଼ିକ ପାଇଁ ଗୋଟିଏ ବଡ଼ ଝଟକା । ଅନଲାଇନ୍ ଗେମରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି କମ୍ପାନି ଉପରେ ଅଙ୍କୁଶ ଲାଗିଲେ, କମ୍ପାନିର କୋଟି କୋଟି ଟଙ୍କା କ୍ଷତି ହେବ ।

ଡ୍ରିମ୍ ୧୧ ଯେହେତୁ ଏହିଭଳି ଏକ କମ୍ପାନି, ତେଣୁ ଏହା ଉପରେ ମଧ୍ୟ ସରକାରଙ୍କର ନୂଆ ଗେମିଂ ବିଲର ପ୍ରଭାବ ପଡ଼ିଛି । ଅନଲାଇନ୍ ଗେମିଂରୁ କମ୍ପାନି ପାଖାପାଖି ନିଜ ରୋଜଗାରର ୬୭ ପ୍ରତିଶତ ରୋଜଗାର କରିଥାଏ । ହେଲେ ଏବେ ଏହି ଗେମ୍ ସବୁ ବ୍ୟାନ୍ ହେଲେ, କମ୍ପାନି କୋଟି କୋଟି ଟଙ୍କା କ୍ଷତି ସହିବ । ଆଉ ଯାହା ଫଳରେ ଡ୍ରିମ୍ ୧୧ କମ୍ପାନି ଭାରତୀୟ ଟିମର ସ୍ପନ୍ସର ରହିବନି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସରକାରଙ୍କ କହିବା କଥା, ଏହି ଗେମିଂ ଆପ୍ କାରଣରୁ ଲୋକଙ୍କର ମାନସିକ ଏବଂ ଆର୍ଥିକ କ୍ଷତି ହେଉଛି । କିଛି ଲୋକ ଟଙ୍କା ହାରିବା ସହିତ, ଋଣ ବୋଝରେ ବୁଡ଼ିଯାଉଛନ୍ତି । ଏହାପରେ ସେମାନେ ଜୀବନ ହାରିବାକୁ ମଧ୍ୟ ପଛାଉନାହାଁନ୍ତି । ତେଣୁ ଏହାକୁ ରୋକିବାକୁ ସରକାର ଏହି ନୂଆ ବିଲ୍ ଆଣିଛନ୍ତି । ବର୍ତ୍ତମାନ ସମୟରେ ଅନଲାଇନ୍ ଗେମିଂ ମାର୍କେଟର ପରିମାଣ ପାଖାପାଖି ୩୨ ହଜାର କୋଟି ରହିଛି । ଯେଉଁଥିରୁ ୮୬ ପ୍ରତିଶତ କେବଳ ରେଭେନ୍ୟୁ ରିୟଲ୍ ମନି ଫର୍ମାଟରୁ ଆସୁଛି । ତେବେ ୨୦୨୯ ମସିହା ସୁଦ୍ଧା ଏହାର ପରିମାଣ ୮୦ ହଜାର କୋଟି ଛୁଇଁବା ନେଇ ଅନୁମାନ କରାଯାଉଥିଲା । ହେଲେ ଏବେ କିନ୍ତୁ ସରକାର ୟା ଉପରେ ଲଗାମ ଲଗାଇବା ସହିତ, ଏହି କମ୍ପାନିକୁ ଲାଗିଛି ବଡ଼ ଝଟକା ।

ଏଥର ଟିମ୍ ଇଣ୍ଡିଆ ୟୁଏଇରେ ଏସିଆ କପ୍ ଖେଳିବାକୁ ଯାଉଛି । ହେଲେ ଏଥର କିନ୍ତୁ ଦଳର ଜର୍ସିରେ ଡ୍ରିମ୍ ୧୧ ଲେଖା ଦେଖିବାକୁ ନ ମିଳିପାରେ । ବିନା ସ୍ପନ୍ସରରେ ଦଳ ଏସିଆ କପକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଏଥର କେବଳ ଟିମ୍ ଇଣ୍ଡିଆର ଜର୍ସିରେ ଇଣ୍ଡିଆ ଲେଖାଥିବା ଦେଖିବାକୁ ମିଳିବ । ଏହାସହିତ ଆଉ କିଛି ବି ଲେଖା ଜର୍ସିରେ ଦେଖିବାକୁ ନ ମିଳିପାରେ ।