କନକ ବ୍ୟୁରୋ : ଦୁବାଇରେ ଭାରତୀୟ କ୍ରିକେଟ ଟିମ୍ର 'ଅପରେସନ ଏସିଆ କପ୍' ସଫଳ । ପାକିସ୍ତାନକୁ ୫ ରନରେ ହରାଇ ୯ମ ଥର ପାଇଁ ଏସିଆ କପ୍ ହାତେଇଲା ଭାରତୀୟ ଦଳ । ତିଲକ ବର୍ମାଙ୍କ ଲଢ଼ୁଆ ଅର୍ଦ୍ଧଶତକ, ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଲେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ ଖେଳୁଥିବା ରିଙ୍କୁ ସିଂ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ହାତେଇଛି । ଭାରତ ଆଗରେ ବିଜୟ ପାଇଁ ୧୪୭ ରନର ଲକ୍ଷ୍ୟ ଥିବାବେଳେ ଭାରତ ୨ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଦଳ । ଦଳ ପକ୍ଷରୁ ତିଲକ ବର୍ମା ୬୯ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ଭାରତ ମାତ୍ର ୨୦ ରନରେ ୩ ଟି ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିବାବେଳେ ତିଲକ ପ୍ରଥମେ ସଞ୍ଜୁ ସାମସନ ଓ ପରେ ଶିବମ ଦୁବେଙ୍କ ସହ ଏକ ଉପଯୋଗୀ ପାର୍ଟନରସିପ କରି ଦଳକୁ ଜିତାଇଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳୁଥିବା ରିଙ୍କୁ ସିଂ ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।
/filters:format(webp)/kanak/media/media_files/2025/09/29/match-2025-09-29-07-46-16.jpg)
ଏସିଆ କପରେ ବିଜୟ ପାଇଁ ଭାରତୀୟ କ୍ରିକେଟ ଦଳକୁ ଦେଶବାସୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏସିଆ କପ୍ ବିଜୟ ନେଇ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ବିଜୟକୁ ଅପରେସନ ସିନ୍ଦୂର ସହ ତୁଳନା କରିଛନ୍ତି । ପଡ଼ିଆରେ ସଫଳତାର ସହ ଭାରତୀୟ ଟିମ୍ ଅପରେସନ ସିନ୍ଦୂର ଭଳି ସଫଳତା ହାସଲ କରିଛି । ଯୁଦ୍ଧଭୂମି ହେଉ କି କ୍ରିକେଟ ପଡ଼ିଆ ଫଳାଫଳ ସର୍ବଦା ଭାରତ ସପକ୍ଷରେ ବୋଲି ସେ ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହା ଏକ ଅଦ୍ଭୁତ ବିଜୟ । ଆମ ଖେଳାଳିମାନଙ୍କର ପ୍ରଚଣ୍ଡ ଶକ୍ତି ପ୍ରତିପକ୍ଷଙ୍କୁ ପୁଣି ଥରେ ଉଡ଼ାଇ ଦେଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି । ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନ୍ୟ ନେତା, ଅଭିନେତାମାନେ ମଧ୍ୟ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।