କନକ ବ୍ୟୁରୋ : କାନପୁରରେ କମାଲ କରିଛି ଟିମ୍ ଇଣ୍ଡିଆ । ୭ୱିକେଟରେ ବିଜୟ ସହ ସିରିଜକୁ ନିଜ ନାଁରେ କରିଛି ରୋହିତ ବିଗ୍ରେଡ । ବର୍ଷାରେ ଦ୍ବିତୀୟ ଟେଷ୍ଟର ୩ଦିନ ଖେଳ ବାତିଲ ସତ୍ବେ ବିଜୟ ହାସଲ କରି କ୍ରିକେଟ ଜଗତକୁ ଚମକାଇ ଦେଇଛି ଟିମ୍ ଇଣ୍ଡିଆ , ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଇତିହାସରେ ଦେଖିବାକୁ ମିଳିଥିଲା ଟେଷ୍ଟରେ ଟି-୨୦ ପରି ବ୍ୟାଟିଂ । ଟେଷ୍ଟ କ୍ରିକେଟରେ ବିଗତ ୭୫ବର୍ଷ ମଧ୍ୟରେ ଭାରତ ପ୍ରଥମ ଦଳ ଭାବେ ୩୫ଓଭର ପୂର୍ବରୁ ଇନିଙ୍ଗସ ଘୋଷଣା କରିବା ସହ ବିଜୟ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା ।
ଭାରତର ଏହି ବିଜୟ ପରେ ରୋହିତ ଓ ଗମ୍ଭୀରଙ୍କ ଆଭିମୁଖ୍ୟକୁ ପ୍ରସଂଶା କରିଛନ୍ତି କ୍ରିକେଟ ବିଶେଷଜ୍ଞ । ଚତୁର୍ଥଦିନ ଖେଳ ଆରମ୍ଭରୁ ନିଶ୍ଚିତ ଡ୍ର ଅଭିମୁଖେ ଅଗ୍ରସର ହେଉଥିବା ମ୍ୟାଚରେ ରୋମାଂଚ ଭରିଥିଲା ଭାରତୀୟ ଟିମର ଆକ୍ରମଣାତ୍ମକ ଅନ୍ଦାଜ । ପ୍ରଥମ ଇନିଙ୍ଗସରେ ପ୍ରଥମରୁ ଆଟାକ କରି ବାଂଲାଦେଶକୁ ବ୍ୟାକଫୁଟକୁ ଠେଲିଦେଇଥିଲା ଟିମ ଇଣ୍ଡିଆ ଓ ଟେଷ୍ଟ ଖେଳୁଥିବା ସମସ୍ତ ଦେଶକୁ ମେସେଜ ଦେଇଥିଲା କ୍ରିକେଟରେ ସବୁ ସମ୍ଭବ । କହିବାକୁ ଗଲେ ବାଂଲାଦେଶର ଜଣେ ଦୁଇ ଜଣ ବ୍ୟାଟରଙ୍କୁ ଛାଡିଦେଲେ ଆଉ କେହି ଭାରତୀୟ ବୋଲରଙ୍କ ମୁକାବିଲା କରିପାରିନଥିଲେ । ସରିଜରେ ମ୍ୟାନ ଅଫ ଦି ସରିଜ ହୋଇଥିଲେ ଅଶ୍ବିନୀ ଓ ମ୍ୟାନ ଅଫ ଦି ମ୍ୟାଚ ବନିଥିଲେ ଯୁବ ତାରକା ୟଶସ୍ବୀ ଜୟସ୍ବାଲ । ଭାରତୀୟ ଫ୍ୟାନ୍ସ ହୁଅନ୍ତୁ ବା ପଡୋଶୀ ଦେଶ ପାକିସ୍ତାନ ସବୁଠାରେ ଏବେ ଟିମ୍ ଇଣ୍ଡିଆର ଚର୍ଚ୍ଚା । ପାକିସ୍ତାନର ପୂର୍ବତନ ଖେଳାଳି କହିଛନ୍ତି ଟେଷ୍ଟ ମ୍ୟାଚରେ ଜିତିବାର ଅଛି ତ, ଭାରତଠୁ ଶିକ୍ଷ ।
ଟେଷ୍ଟ ମ୍ୟାଚରେ ଟି-୨୦ ଭଳି ଖେଳିଲେ ଭାରତୀୟ ବ୍ୟାଟର
ବ୍ୟାଟିଂରେ ଯୋଡି ହେଲା ୫ ନୂଆ ରେକର୍ଡ
ଟେଷ୍ଟ ଇତିହାସରେ ସବୁଠୁ ଅଧିକ ରେକର୍ଡ
ଦ୍ରୁତ ଅର୍ଦ୍ଧଶତକ, ଶତକ, ୧୫୦ ରନ, ୨୦୦ ରନର ରେକର୍ଡ
ବିରାଟ କୋହଲିଙ୍କ ନୂଆ ରେକର୍ଡ
ସବୁଠୁ ଶୀଘ୍ର ୨୭ହଜାର ରନ କଲେ କିଙ୍ଗ କୋହଲି
ଟେଷ୍ଟରେ ୩୦୦ ୱିକେଟ କ୍ଲବରେ ସାମିଲ ରବିନ୍ଦ୍ର ଜାଡେଜା
ସିରିଜ ବିଜୟ ନିଶ୍ଚିତ ଭାବେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ପାଇଁ ସହାୟକ ହେବ ଏବଂ ଭାରତର ପରବର୍ତ୍ତି ମିଶନ ରହିବ ଅଷ୍ଟ୍ରେଲିଆ । କୁହାଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସରିଜ କୋଚ ଗମ୍ଭୀରଙ୍କ ପାଇଁ ବଡ ପରୀକ୍ଷା ହେବ ।