କନକ ବ୍ୟୁରୋ: ଏସିଆ କପ୍ ଚାମ୍ପିୟନ୍ ହୋଇଛି ଟିମ୍ ଇଣ୍ଡିଆ । ପାକିସ୍ତାନକୁ ହରାଇ ଦଳ ପୁଣିଥରେ ଏସିଆ କପ୍ ଚାମ୍ପିୟନ୍ ହୋଇଛି । ହେଲେ ଏସିଆ କପ୍ ଚାମ୍ପିୟନ୍ ହେବା ପରେ ବି, ଦଳ ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା । ଆଉ ଯାହା ପରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ପରେ ପାକିସ୍ତାନକୁ ଅନେକ ଲୋକ ଟ୍ରଫି ଚୋର ବୋଲି କହିବା ଆରମ୍ଭ କଲେଣି ।
ଅସଲ କଥା ହେଲା, ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆ ପାକ୍ କ୍ରିକେଟ୍ ବୋର୍ଡ ଚେୟାରମ୍ୟାନ୍ ମୋହସିନ୍ ନକବୀଙ୍କଠାରୁ ଟ୍ରଫି ନେବାକୁ ସିଧା ସିଧା ମନା କରିଦେଇଥିଲା । ଯାହା ପରେ ମୋହସୀନ ନକବୀ ଟ୍ରଫି ଆଉ ମେଡାଲ୍ ତାଙ୍କ ହୋଟେଲ୍ ରୁମକୁ ନେଇଯାଇଥିଲେ । ଏହାକୁ ନେଇ ବିସିସିଆଇ କଡ଼ା ଆପତ୍ତି ଜଣାଇବା ସହିତ ଟ୍ରଫିକୁ ଭାରତ ପଠାଇବାକୁ ଦାବି କରିଛି । ଭାରତ ଏଥର ଏସିଆ କପ୍ ଚାମ୍ପିୟନ୍ ହୋଇଛି, ତେଣୁ ଟ୍ରଫିକୁ ଭାରତ ପଠାଇବାକୁ ଦାବି କରିଛି ବିସିସିଆଇ ।
ଭାରତ ଏସିଆ କପ୍ ଚାମ୍ପିୟନ୍ ହେବା ପରେ ଏବେ ଆଉ କିଛି କଥା ମଧ୍ୟ ବେଶ ଚର୍ଚ୍ଚାରେ ରହିଛି । ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ୍ ହେବା ପରେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ନିଜର ସମସ୍ତ ମ୍ୟାଚ୍ ଫି ଭାରତୀୟ ସେନାକୁ ଦାନ କରିଛନ୍ତି । ଅନ୍ୟପଟେ ପାକିସ୍ତାନ କ୍ୟାପଟେନ୍ ମଧ୍ୟ ତାଙ୍କର ମ୍ୟାଚ୍ ଫି ଅପରେସନ୍ ସିନ୍ଦୂରରେ ନିହତ ହେଇଥିବା ଲୋକଙ୍କୁ ଦେବେ ବୋଲି ଜଣାପଡ଼ିଛି । ଯାହାକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି ।
ଟିମ୍ ଇଣ୍ଡିଆ କାହିଁକି ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନଙ୍କଠାରୁ ଟ୍ରଫି ଗ୍ରହଣ କଲାନି ସେନେଇ ବିସିସିଆଇ ତରଫରୁ ସ୍ପଷ୍ଟୀକରଣ ରଖାଯାଇଛି । ବିସିସିଆଇର ସେକ୍ରେଟାରି ଦେବଜୀତ ସୌକିଆ କହିଛନ୍ତି ଯେ, ଭାରତ ଏବେ ଏକ ଦେଶ ସହିତ ଯୁଦ୍ଧ କରୁଛି ଆଉ ଆମକୁ ସେହି ଦେଶର ନେତା ଟ୍ରଫି ଦେଲେ ଆମେ ତାକୁ ଗ୍ରହଣ କରିପାରିବୁନି । ଯିଏ ଆମ ଦେଶ ବିରୋଧରେ ଯୁଦ୍ଧ କରୁଛି, ତାଙ୍କ ପ୍ରତିନିଧିଙ୍କଠାରୁ ଆମେ କଦାପି ଟ୍ରଫି ଗ୍ରହଣ କରିବୁନି ।
ଟିମ୍ ଇଣ୍ଡିଆ ଚାମ୍ପିୟନ୍ ହେବା ପରେ ବି ସୂର୍ଯ୍ୟକୁମାରଙ୍କୁ ଟ୍ରଫି ଦିଆଯାଇନଥିଲା । ଯାହାଫଳରେ ବିନା ଟ୍ରଫିରେ ସେଲିବ୍ରେସନ୍ କରିଥିଲା ପୂରା ଟିମ୍ । ହେଲେ ଏବେ ଅସଲ କଥା ହେଉଛି, ଟିମ୍ ଇଣ୍ଡିଆକୁ ଏସିଆ କପ୍ ଚାମ୍ପିୟନ୍ ଟ୍ରଫି ମିଳିବ ନା ମିଳିବନି ?