କନକ ବ୍ୟୁରୋ: ହ୍ରାଇଦ୍ରାବାଦ୍‌ରେ ରେକର୍ଡ କଲା ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷରେ ଏହି ମ୍ୟାଚରେ ଅନେକ ରେକର୍ଡ କରିଛି ଭାରତ । ୱିକେଟ କିପର ସଞ୍ଜୁ ସାମସନଙ୍କ ଶତକ ବଳର ଭାରତ ବାଂଲାଦେଶ ବିପକ୍ଷରେ ୨୯୭ର ବିଶାଳ ସ୍କୋର କରିଛି । ସିରିଜର ଶେଷ ମ୍ୟାଚରେ ଛଅଟି ରେକର୍ଡ ଭାଙ୍ଗିଛି ଭାରତ ।  ବାଂଲାଦେଶ ଆଗରେ ୨୯୮ରନ ଟାର୍ଗେଟ ରଖିଛି ଭାରତ ।  

Advertisment


ମ୍ୟାଚ ଆରମ୍ଭରୁ ଓପନର ସଞ୍ଜୁ ସାମସନ ଆକ୍ରାମକ ବ୍ୟାଟିଂ କରିଥିଲେ । ମାତ୍ର ୪୭ଟି ବଲରେ ୧୧୧ ରନ୍ କରିଛନ୍ତି ।  ଭାରତ ଟିଟ୍ୱେଣ୍ଟି ଫର୍ମାଟରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛି । ଭାରତ ଆଗରେ ରହିଛି ନେପାଳ । ୨୦୨୩ ସେପ୍ଟେମ୍ବରରେ ମଙ୍ଗୋଲିଆ ବିପକ୍ଷରେ ନେପାଳ ସର୍ବାଧିକ ୩୧୪ ରନ୍‌ କରି ବିଶ୍ୱ ରେକର୍ଡ ହାସଲ କରିଛି ।  ଭାରତ ଆଜି ୨୯୭ ରନ୍‌ କରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି  । ତୃତୀୟ ଓଭର ଆରମ୍ଭରୁ ମାତ୍ର ୪ ରନ୍‌ରେ ଅଭେଷକ ଶର୍ମା ଆଉଟ ହେବାପରେ ମୈଦାନରେ ଆରମ୍ଭ ହୋଇଥିଲା ସଞ୍ଜୁ ଏବଂ ସୂର୍ଯ୍ୟଙ୍କ ଶୋ’  । 

ବାଂଲାଦେଶ ବୋଲରଙ୍କ କୌଣସି ରଣନୀତି ଆଜି ଭାରତୀୟ ବ୍ୟାଟରଙ୍କ କାମ କରିନି । ଶସ୍ତାରେ ଅଭିଶେକ ଶର୍ମା ଆଉଟ ହେବାପରେ ବି ପାୱାର ପ୍ଲେ’ ଅର୍ଥାତ ମାତ୍ର ୬ ଓଭରରେ ଭାରତ ୮୨ ରନ୍ ସଂଗ୍ରହ କରିଥିଲା ।  ଅଷ୍ଟମ ଓଭର ଶେଷ ହେବା ସୁଦ୍ଧା ଭାରତର ଦଳୀୟ ସ୍କୋର୍ ୧୦୦ ରନରେ ପହଞ୍ଚି ସାରିଥିଲା । ଏହାପରେ ଟିମ୍ ଇଣ୍ଡିଆ ମାତ୍ର  ୧୪ ଓଭରରେ  ୨୦୦ ରନ୍ ଦଳୀୟ ସ୍କୋର ପୂରଣ କରିଥିଲା ।   

ଆଜିର ମ୍ୟାଚରେ ଭାରତ ୨୨ଟି ଛକା ମାରିଛି । ଆଉ ଏହାବି ଟିମ୍ ଇଣ୍ଡିଆ ପାଇଁ ରେକର୍ଡ ସୃଷ୍ଟି କରିଛି । ମ୍ୟାଚରେ ଓପନର ସଞ୍ଜୁ ସାମସନ୍ ଶତକୀୟ ଇନିଂସ ଖେଳିଛନ୍ତି । ଏହା ହେଉଛି ସଞ୍ଜୁଙ୍କ ପ୍ରଥମ ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ଶତକ । ଯେଉଁଥିରେ ୮ଟି ଛକା ଓ ୧୧ଟି ଚୌକା ସାମିଲ ରହିଛି ।   ମାତ୍ର ୪୦ ବଲ୍‌ରେ ସଞ୍ଜୁ ଶତକ ହାସଲ କରି ଦ୍ୱିତୀୟ ଭାରତୀୟ ଭାବେ ଦ୍ରୁତତମ ଶତକ ରେକର୍ଡ ନିଜ ନାଁରେ କରିଛନ୍ତି । ସେହିପରି ମ୍ୟାଚରେ ଅଧିନାୟକ ସୂର୍ଯ୍ୟଙ୍କ ଯାଦୁ  ବି ଦେଖିବାକୁ ମିଳିଥିଲା । ସେ ମାତ୍ର ୩୫ଟି ବଲ୍‌ରେ ୭୫ ରନ୍‌ କରିଥିଲେ  । ଯେଉଁଥିରେ ୫ଟି ଛକା ଏବଂ ୮ଟି ଚୌକା ସାମିଲ ରହିଛି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ବି ୧୮ଟି ବଲ୍‌ରେ ୪୭ ରନ୍‌ କରିଥିଲେ । ଯେଉଁଥିରେ ୪ଟି ଚୌକା ଏବଂ ୪ଟି ଛକା ସାମିଲ ରହିଛି ।   


ସଞ୍ଜୁଙ୍କ ପୂର୍ବରୁ ଦ୍ରୁତତମ ଶତକ ରେକର୍ଡ କ୍ୟାପଟେନ ରୋହିତ ଶର୍ମାଙ୍କ ନାଁ ରହିଛି । ସେ ୩୫ ବଲ୍‌ରେ ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ଶତକ ହାସଲ କରିଥିଲେ । ଆଜିର ମ୍ୟାଚରେ ୬ ୱିକେଟ ବିନିମୟରେ ଭାରତ ୨୯୭ କରିଛି ।