କନକ ବ୍ୟୁରୋ: ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟକୁ ଡ୍ର' ରଖିବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଅଧିନାୟକ ଶୁଭମନ ଗିଲ୍ କହିଛନ୍ତି ଯେ ଦଳ ଦ୍ୱିତୀୟ ଇନିଂସରେ ଶୂନ ରନ୍ରେ ୨ଟି ୱିକେଟ୍ ହରାଇଥିଲା, ଯାହାପରେ ପରାଜୟର ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ପରେ ସେ ଆତ୍ମବିଶ୍ୱାସ ରଖିଥିଲେ ଯେ ମ୍ୟାଚକୁ ଡ୍ର' କରାଯାଇପାରିବ । ସେ ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦରଙ୍କ ଶତକୀୟ ପାଳିକୁ ବେଶ୍ ପ୍ରଶଂସା କରିଛନ୍ତି ।
ସୋମବାର ଦିନ ବିସିସିଆଇ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ ଗିଲ୍ କହିଛନ୍ତି, "ଶୂନରେ ୨ ୱିକେଟ୍ ହରାଇବା ପରେ ମୋର ଏବଂ କେଏଲ ରାହୁଲଙ୍କ ମଧ୍ୟରେ ହୋଇଥିବା ଭାଗିଦାରୀ ଆମକୁ ଏକ ନୂତନ ଆଶା ଦେଇଥିଲା । ଆମେ ଏହି ଟେଷ୍ଟକୁ ଡ୍ର'ରେ ମଧ୍ୟ ଶେଷ କରିପାରିବୁ ବୋଲି ଚିନ୍ତା କରିଥିଲୁ । ଚତୁର୍ଥ ଦିନରେ ଆମେ ଯେଉଁ ସ୍ଥିତିରେ ଥିଲୁ, ସେଠାରୁ ମ୍ୟାଚ୍ ଡ୍ର' କରିବାରେ ସଫଳ ହେବା ସନ୍ତୋଷଜନକ ଥିଲା ।"
𝙄𝙜𝙣𝙞𝙩𝙞𝙣𝙜 𝙩𝙝𝙚 𝘽𝙚𝙡𝙞𝙚𝙛 ✨
— BCCI (@BCCI) July 28, 2025
Talking Memorable Manchester partnerships with Captain Shubman Gill & Washington Sundar 🤝
WATCH 🎥🔽#TeamIndia | #ENGvIND | @ShubmanGill | @Sundarwashi5https://t.co/u7ZrWdnMmr
ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କୁ ପ୍ରଶଂସା
ଗିଲ୍ ଆହୁରି କହିଛନ୍ତି, "ମୋର ଏହି ପାଳିରେ ମୁଁ ଆତ୍ମସନ୍ତୋଷ ଲାଭ କରିଛି । ଜାଡେଜା ଏବଂ ୱାଶିଂଟନ ଭଲ ବ୍ୟାଟିଂ କରୁଥିଲେ, ପଡ଼ିଆରେ ପରିସ୍ଥିତି ସହଜ ନଥିଲା । ପ୍ରତି ବଲ୍ କିଛି ନା କିଛି ହରକତ କରୁଥିଲା, କିନ୍ତୁ ଯେଉଁଭଳି ଭାବେ ଉଭୟେ ଶାନ୍ତ ରହି ବ୍ୟାଟିଂ କଲେ ଏବଂ ନିଜର ଶତକ ପୂରଣ କଲେ, ତାହା ଏକ ବଡ଼ ଉପଲବ୍ଧି । ୧୪୦ ଓଭର ପର୍ଯ୍ୟନ୍ତ ସମାନ ମାନସିକତା ସହ ଖେଳିବା ବହୁ କଷ୍ଟକର ଥିଲା । ଏହା ହିଁ ଏକ ଭଲ ଏବଂ ଏକ ମହାନ ଦଳ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଏ । ଆମେ ପ୍ରମାଣିତ କଲୁ ଯେ ଆମେ କାହିଁକି ଏକ ବଡ଼ ଟିମ୍ ।"
ପରିବାରକୁ ଶତକ ଉତ୍ସର୍ଗ କଲେ ୱାଶିଂଟନ ସୁନ୍ଦର
ମାଞ୍ଚେଷ୍ଟର୍ରେ ଶତକ ହାସଲ ପରେ ୱାଶିଂଟନ କହିଛନ୍ତି, "ଏହି ପାଳି ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ମୁଁ ଏହି ଶତକ ମୋ ପରିବାରକୁ ଉତ୍ସର୍ଗ କରିଛି, କାରଣ ମୋ କ୍ୟାରିୟର ଗଢ଼ିବାରେ ସେମାନେ ମୋତେ ବହୁ ସମର୍ଥନ କରିଛନ୍ତି । ଜାଡେଜା ଏବଂ ମୁଁ କେବଳ ବଲକୁ ଭଲ ଭାବେ ଦେଖି ଖେଳୁଥିଲୁ ଏବଂ ଏହି ମ୍ୟାଚର ଫଳାଫଳ ଟିମ୍ର ସମସ୍ତ ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ।"
ସିରିଜ୍ ଡ୍ର' କରିବାକୁ ଭାରତ ପାଖରେ ସୁଯୋଗ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଜୁଲାଇ ୩୧ରୁ 'ଦ ଓଭାଲ'ରେ ଖେଳାଯିବ । ସିରିଜରେ ୧-୨ରେ ପଛୁଆ ଥିବା ଟିମ୍ ଇଣ୍ଡିଆକୁ ସିରିଜ୍ ଡ୍ର' କରିବାକୁ ହେଲେ ଏହି ଟେଷ୍ଟକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ, କାରଣ ଡ୍ର' ହେଲେ ମଧ୍ୟ ଇଂଲଣ୍ଡ ସିରିଜ୍ ଜିତିଯିବ । ଇଂଲଣ୍ଡ ପ୍ରଥମ ଏବଂ ତୃତୀୟ ଟେଷ୍ଟ ଜିତିଥିବା ବେଳେ ଭାରତ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇଥିଲା ।