କନକ ବ୍ୟୁରୋ : ଏସିଆ କପ୍‌ରେ ପାକିସ୍ତାନ ବିରୋଧରେ ବିଜୟକୁ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କଲା ଭାରତୀୟ ଟିମ୍ । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ବିଜୟକୁ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଥିବା କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଆମେ ପହଲଗାମର ପୀଡ଼ିତ ପରିବାର ସହିତ ଛିଡ଼ା ହୋଇଛୁ । ଆମେ ଆମର ଏକତା ପ୍ରକାଶ କରୁଛୁ, ଆଶା କରୁଛୁ ଆମ ଦେଶର ବୀର ଯବାନମାନେ ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଥିବେ । ଉଭୟ ପାରମ୍ପରିକ ଶତ୍ରୁରାଷ୍ଟ୍ର ଏସିଆ କପରେ ପରସ୍ପର ବିରୋଧରେ ମୈଦାନକୁ ଓହ୍ଲାଇଥିବା ବେଳେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ମ୍ୟାଚ୍ ଆରମ୍ଭରେ ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲ୍ଲି ଆଗାଙ୍କ ସହିତ ହାତ ମିଳାଇନଥିଲେ । ସେହିପରି ଭାରତର ବିଜୟ ସହ ମ୍ୟାଚ୍ ଶେଷ ହୋଇଥିବା ବେଳେ ଉଭୟ ଦେଶର ଖେଳାଳି ପରସ୍ପର ସହ ହାତ ମିଳାଇନଥିବା ମଧ୍ୟ ଦେଖିବାକୁ ମିଳିଛି । ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ଯାହାର ଝଲକ ଏସିଆ କପରେ ମଧ୍ୟ ଦେଖିବାକୁ ମିଳିଛି ।