କନକ ବ୍ୟୁରୋ: ଶିବ ଭକ୍ତିରେ ଲୀନ ହାର୍ଦ୍ଦିକ ପାଣ୍ଡ୍ୟା  । ମହାଦେବଙ୍କ ଭଜନ ବୋଲୁଥିବାର ଭିଡିଓ ନିଜ ଇନ୍‌ଷ୍ଟାରେ  ସେୟାର କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପୋଷ୍ଟ କରିଥିବା ଭିଡିଓରେ ହାର୍ଦ୍ଦିକ ନିଜ ପୁଅ ଅଗସ୍ତ୍ୟ ଏବଂ ଭଣଜା କବୀରଙ୍କ ସହିତ ଶିବ ଭକ୍ତିରେ ଲୀନ ହୋଇ କୀର୍ତ୍ତନ କରୁଥିବାର ଦେଖାଯାଇଛି। ଏହି ଭିଡିଓଟି ହାର୍ଦ୍ଦିକଙ୍କ ବଡ଼ ଭାଇ କ୍ରୁଣାଲ ପାଣ୍ଡ୍ୟାଙ୍କ ପୁଅ କବୀରଙ୍କ ତୃତୀୟ ଜନ୍ମଦିନ ଅବସରରେ ଆୟୋଜିତ ଏକ କୀର୍ତ୍ତନ ସମାରୋହର।  ଜୁଲାଇ ୧୮ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହାର୍ଦ୍ଦିକ ନିଜେ ଏହି ହୃଦୟସ୍ପର୍ଶୀ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ହାର୍ଦ୍ଦିକ ମାଇକ୍ ଧରି 'ମହାଦେବ, ମହାଦେବ' ଭଜନ ଗାଉଥିବା ବେଳେ ତାଙ୍କ ପାଖରେ ବସିଥିବା ପୁଅ ଅଗସ୍ତ୍ୟ ମଧ୍ୟ ତାଙ୍କ ସହ ସ୍ୱର ମିଳାଉଛନ୍ତି ।

Advertisment

ଏହି ବାପ-ପୁଅଙ୍କ ଯୁଗଳବନ୍ଦୀ ଦୃଶ୍ୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କବୀର ମଧ୍ୟ ଏହି ଭକ୍ତିମୟ ପରିବେଶକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ହାର୍ଦ୍ଦିକ କ୍ୟାପସନରେ ଲେଖିଛନ୍ତି, "ଆମର ପ୍ରିୟ କବୀର ଜନ୍ମଦିନରେ ଏକ କୀର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରିଥିଲା ଏବଂ ତାହାକୁ ପୂରଣ କରିବା ଆମ ପାଇଁ ଗର୍ବର ବିଷୟ। ଜନ୍ମଦିନର ଶୁଭେଚ୍ଛା କବୁ!" ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ କ୍ରିକେଟରୁ ବିରତି ନେଇ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି। ନିଜର ଆକ୍ରମଣାତ୍ମକ ଖେଳ ଏବଂ ଷ୍ଟାଇଲିସ୍ ଜୀବନଶୈଳୀ ପାଇଁ ଜଣାଶୁଣା ହାର୍ଦ୍ଦିକଙ୍କର ଏହି ଆଧ୍ୟତ୍ମିକ  ରୂପ ଦେଖି ପ୍ରଶଂସକ ଖୁସି ବ୍ୟକ୍ତ କରିଛନ୍ତି ।