କନକବ୍ୟୁରୋ : ଚଳିତ ଥରର ଏସିଆ କପ୍ ଯେତିକି ରୋଚକ ଥିଲା, ସେତିକି ଚର୍ଚ୍ଚା ମଧ୍ୟ ସାଉଁଟିଛି । ଆଉ ବିବାଦ ମଧ୍ୟ କିଛି କମନଥିଲା । ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟୱାର ଚାଲିଛି । ରବିବାର ରାତିରୁ ସୋସିଆଲ ମିଡିଆରେ ଚାଲିଛି ବୟାନବାଜିର ସୁନାମି । ଚିର ପ୍ରତିଦ୍ବନ୍ଦ୍ୱୀ ପାକିସ୍ତାନକୁ ଫାଇନାଲରେ ହରାଇବା ପରେ ଟିମ୍ ଇଣ୍ଡିଆର ସମର୍ଥକ କି ପ୍ରଶଂସକ ନୁହନ୍ତି, ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ୍ସରେ ବିଜୟ ଖୁସିକୁ ନେଇ ପୋଷ୍ଟ କରିଛନ୍ତି । ତେବେ ପ୍ରତିଥରର ଅଭିନନ୍ଦନଠୁ ଏଥରକର ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ବେଶ୍ ଅଲଗା ରହିଛି ।
କାରଣ ପାକିସ୍ତାନକୁ ସିଧାସଳଖ ଟାର୍ଗେଟ୍ କରି ସେ ଲେଖିଛନ୍ତି, ପଡ଼ିଆରେ ଅପରେସନ ସିନ୍ଦୂର, ସମାନ ଫଳାଫଳ ମିଳିଲା, ଭାରତ ଜିତିଥିଲା, ଅଭିନନ୍ଦନ ଟିମ୍ ଇଣ୍ଡିଆ । ସେହିପରି କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଲେଖିଛନ୍ତି, ସୀମାରେ ହରାଇଲୁ, ପଡ଼ିଆରେ ମଧ୍ୟ ହରାଇଲୁ । ସେପଟେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଯଶପ୍ରୀତ ବୁମରା ଓ ପାକ ଖେଳାଳି ହାରିସ ରଉଫଙ୍କୁ ଫଟୋ ସେୟାର କରି କହିଛନ୍ତି , ଏଭଳି ଦଣ୍ଡ ଦରକାର କରୁଥିଲା ପାକିସ୍ତାନ ।
ପାକିସ୍ତାନକୁ ଖେଳ ପଡ଼ିଆରେ ଧୂଳି ଚଟାଇବା ପରେ ହୁଏତ ଏହା ପ୍ରଥମ ଘଟଣା, ଯେଉଁଠି ଭାରତର ବରିଷ୍ଠ ରାଜନେତା ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ଚିର ପ୍ରତିଦ୍ବନ୍ଦ୍ୱୀ ପାକିସ୍ତାନକୁ ସିଧାସଳଖ ନିଶାଣ କରିଛନ୍ତି ।
ସେପଟେ ଭାରତୀୟ ନେତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଦେଖି ଚିହିଁକିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ପୋଷ୍ଟରେ କହିଛନ୍ତି , ଏହା ପରଠୁ ଶାନ୍ତି ଓ ସମାଧାନର ସମସ୍ତ ସମ୍ଭାବନା ଶେଷ ହୋଇଛି । ସେପଟେ ପାକ୍ ଗୃହମନ୍ତ୍ରୀ ତଥା ପିସିବି ଅଧ୍ୟକ୍ଷ ମହସିନ ନକଭି କହିଛନ୍ତି , ଯୁଦ୍ଧ ଭିତରକୁ ଖେଳକୁ ଟାଣିବା ଅପମାନଜନକ ଘଟଣା ।
୨୦୨୫ ଏସିଆ କପ୍ ପ୍ରଥମ ଦିନରୁ ହିଁ ବିବାଦରେ ରହିଥିଲା । ଆୟୋଜନ ସ୍ଥଳଠୁ ନେଇ ହାତ ନ-ମିଳାଇବା ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ଟିମ୍ ମଧ୍ୟରେ ବିବାଦ ଓ ବୟାନବାଜି ଜୋରଦାର ଦେଖିବାକୁ ମିଳିଥିଲା । ଏମିତିକି ଖେଳକୁ ନେଇ ରାଜନୀତି ମଧ୍ୟ ହୋଇଥିଲା । ଏବେ ଭାରତ ଜିତିବା ପରେ ଏସିସି ମୁଖ୍ୟ ମହସିନ ନକଭି ପାକିସ୍ତାନୀ ହୋଇଥିବାରୁ ତାଙ୍କ ହାତରୁ ଟ୍ରଫି ଗ୍ରହଣ କରିନାହିଁ । ଟ୍ରଫି ନେଇଯାଇଛନ୍ତି ନକଭି । ଏଥିରେ କଡ଼ା ଆପତ୍ତି ଜଣାଇଛି ବିସିସିଆଇ । ନଭେମ୍ବରରେ ଆଇସିସି ବୈଠକରେ ଉଠିବ ଏହି ପ୍ରସଙ୍ଗ ଉଠିବ। ସେପଟେ ନିହତ ଆତଙ୍କବାଦୀ ପରିବାରକୁ ପାକ୍ ଟିମ୍ ମ୍ୟାଚ୍ ଫି ଦାନ କରିବ ବୋଲି କହିଛି। ଏହାକୁ ନେଇ ବି ବିବାଦ । ତେବେ ଶେଷରେ ପାକିସ୍ତାନକୁ ହରାଇ ପୁଣି ଥରେ ଦମ୍ ଦେଖାଇଛି ଭାରତ ।