କେତେବେଳେ ବଲ କମୁଥିଲା ତ କେତେବେଳେ ରନ୍ ଆଉ କେତେବେଳେ ସମାନ ସ୍ଥିତିରେ ଚାଲିଥିଲା ମ୍ୟାଚ । କିଏ ଜିତିବ କିଏ ହାରିବ... ଏହାରି ଭିତରେ କିଛି ସମୟ ଅଟକିଯାଇଥିଲା ଭାରତୀୟଙ୍କ ହାର୍ଟବିଟ୍ । ବିଜୟ ପାଇଁ ୧୧ ବଲରେ ୪ ରନ ଦରକାର ହେଉଥିଲା ବେଳେ ଧୋନୀ ଛକା ମାରି ନିଜ ଷ୍ଟାଇଲରେ ମ୍ୟାଚ ଫିନିସ କରିଥିଲେ । ଆଉ ଦୀର୍ଘ ବର୍ଷ ପରେ ଇତିହାସ ରଚିଥିଲା ଭାରତ, ବନିଥିଲା ବିଶ୍ବ କ୍ରିକେଟର ବିଶ୍ବ ବିଜେତା ।
ଆଜି ସେହି ଦିନ ଯେଉଁ ଦିନ ଭାରତ ଦ୍ୱିତୀୟ ଥର ପାଇଁ ଜିତିଥିଲା ଦିନିକିଆ କ୍ରିକେଟ ବିଶ୍ବ କପ । ୨୮ ବର୍ଷ ପରେ ଭାରତର ବିଜୟରେ ଝୁମି ଉଠିଥିଲା ପୂରା ଭାରତ । ଷ୍ଟାଡିୟମଠାରୁ ଗ୍ୟାଲେରୀ ସବୁଆଡେ ଭାବବିହ୍ବଳ ହୋଇ ପଡ଼ିଥିଲେ ଫ୍ୟାନ୍ସ । ଦୀର୍ଘ ୨୮ ବର୍ଷର ଅପେକ୍ଷା ଭିତରେ ଅନେକ କିଛି ଭାବନା ଜଡିତ ଥିଲା । ୧୯୯୬ରେ ଇଡେନ ଗାର୍ଡେନରେ ହୋଇଥିବା ବିଶ୍ବକପ ସେମିଫାଇନାଲ ମ୍ୟାଚ, ଯେଉଁଠି ବିନୋଦ କାମ୍ବଲିଙ୍କ ସହ କାନ୍ଦିଥିଲା ପୂରା ଦେଶ । ୨୦୦୩ ବିଶ୍ବକପ ଫାଇନାଲ ମ୍ୟାଚ, ଯେବେ ୠାରତର ସ୍ବପ୍ନ ଭାଙ୍ଗିଦେଇଥିଲେ ରିକି ପଣ୍ଟିଂ । ଆଉ ଏହି ବିଶ୍ବକପ ବିଜୟ ଥିଲା ଏକ ପ୍ରକାର ବଦଲା ଏହି ସବୁ ଆଘାତର । ଆଜି ଆମେ ମନେ ପକାଇବା ସେହି ସ୍ମରଣୀୟ ମ୍ୟାଚକୁ ଯାହା ସାରା ୠାରତବାସୀଙ୍କ ପାଇଁ ଥିଲା ବଡ଼ ମ୍ୟାଚ ।
୨୦୧୧, ଏପ୍ରିଲ ୨ ତାରିଖ । ଷ୍ଟାଡିୟମ ଥିଲା ମୁମ୍ବାଇର ୱାଙ୍ଖଡେ । ମ୍ୟାଚ ଥିଲା ଦିନିକିଆ ବିଶ୍ବକପ ଫାଇନାଲ । ସାମ୍ନାସାମ୍ନି ଥାନ୍ତି ଦୁଇ ଏସୀୟ ଦଳ ଭାରତ-ଶ୍ରୀଲଙ୍କା । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଶ୍ରୀଲଙ୍କା ଦମଦାର ବ୍ୟାଟିଂ କରିଥିଲା । କୁମାର ସାଙ୍ଗାକାରା ଓ ମାହେଲା ଜୟୱର୍ଦ୍ଧନେଙ୍କ ପାର୍ଟନରସିପ ଦଳକୁ ଦୃଢସ୍ଥିତିରେ ପହଞ୍ଚାଇଥିଲା । ଏହି ମ୍ୟାଚରେ ଜୟୱର୍ଦ୍ଧନେ ଶତକୀୟ ପାଳି ଖେଳିଥିଲେ । ଫଳରେ ଭାରତକୁ ୨୭୫ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ।
ଦ୍ବିତୀୟ ଇଂନିସରେ ମୈଦାନକୁ ଓହ୍ଲାଇଥିଲା ଭାରତ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଚୌକାରୁ ଆରମ୍ଭ କରୁଥିବା ସେହୱାଗ ଏହି ମ୍ୟାଚରେ ଫେଲ ହୋଇଥିଲେ । ଆଉ ଏହି ସମୟରେ ଭାଙ୍ଗିଯାଇଥିଲା କୋଟି କୋଟି ଭାରତୀୟଙ୍କ ମନ । ହେଲେ ମୈଦାନରେ ଥାନ୍ତି ସଚିନ୍ । ସଚିନ ନିଜ ୯୯ତମ ସେଞ୍ଚୁରୀ ପାଇଁ ଖେଳୁଥାନ୍ତି, ଏହି ମ୍ୟାଚ ତାଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ୧୦୦ ସେଞ୍ଚୁରୀ ହାସଲ ପାଇଁ ତାଙ୍କ ପାଖରେ ସୁଯୋଗ ଥିଲା, ହେଲେ ସେ ଆଉ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହି ସମୟରେ ଆସିଥିଲେ ଟିମ ଇଣ୍ଡିଆର ରିୟଲ ହିରୋ, ଭାରତ ବିଜୟର ସୂତ୍ରଧାର ଗୌତମ ଗମ୍ଭୀର । ସେ ୯୭ ରନର ଚମତ୍କାର ପାଳି ଖେଳି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ହେଲେ ଯେଉଁ ଭଳି ଭାବେ ୱିକେଟ ଗଳିଚାଲିଥିଲା ଲାଗୁନଥିଲା ଭାରତ ଜିତିବ ବୋଲି । ହେଲେ ଚତୁର୍ଥ ୱିକେଟରେ ଧୋନୀ ଆସି ଭାରତକୁ ବିଜୟୀ କରାଇଥିଲେ । ଆଉ ଛକା ମାରି ଭାରତ କ୍ରିକେଟ ଇତିହାସରେ ଯୋଡି ଦେଇଥିଲେ ଆଉ ଏକ ଐତିହାସିକ ଫର୍ଦ୍ଦ । ସେହି ଦିନକୁ କେହି କେବେ ବି ଭୁଲିବେନି । ବିଶ୍ବ ବିଜେତା ଟିମର ଏହି ଫଟୋକୁ ଦେଖିଲେ ସେହି ସ୍ମୃତି ଆଜି ବି ତାଜା ହୋଇଯାଏ ।