Photograph: (KANAKNEWS)
କନକବ୍ୟୁରୋ : ଭିନ୍ନ ଢ଼ଙ୍ଗରେ ପ୍ରାଥମିକ ଶିକ୍ଷକଙ୍କ ପ୍ରତିବାଦ। ସ୍ଥାୟୀ ଚାକିରୀ ସାଙ୍ଗକୁ ୪୨୦୦ ଗ୍ରେଡ ପେ ଦାବିରେ ରାଜରାସ୍ତାରେ ଦୀପ ଜାଳି ପ୍ରତିବାଦ କରିଛନ୍ତି ଶିକ୍ଷକ । ନିଜେ ଭକ୍ତ ଓ ନିଜେ ପୂଜକ ହୋଇ ରାସ୍ତା ମଝିରେ ଦୀପ ଧୂପକାଠି ଜାଳି କଳସ ବସେଇ ଭଗବାନଙ୍କୁ ନିଜ ଦୁଃଖ ଜଣାଇଥିବା କହିଛନ୍ତି ଏହି ଶିକ୍ଷକ ମାନେ ।
ଅଧିକ ପଢନ୍ତୁ.... ପାଦରେ କାହିଁକି ପିନ୍ଧାଯାଏ ‘କଳାସୂତା’ ? ପରମ୍ପରା ନା’ ଟ୍ରେଣ୍ଡ୍ ନିଶା ?
ତେବେ ଗତକାଲି ଠାରୁ ଆଜିପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଦେବାପରେ ମଧ୍ୟ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ହୋଇନାହିଁ। ଅନ୍ୟାନ୍ୟ ରାଜ୍ୟ ମାନଙ୍କ ଭଳି ଓଡ଼ିଶାରେ ୪୨୦୦ ଗ୍ରେଡ ପେ ଏବଂ ଠିକା ନିଯୁକ୍ତି ହଟାଇ ସ୍ଥାୟୀ କରିବା ପାଇଁ ପ୍ରମୁଖ ଦୁଇଟି ଦାବି ନେଇ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଏହି ଶିକ୍ଷାକମାନେ ଏଇ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ଚେଷ୍ଟା କରିଥିବା କହିଛନ୍ତି। ଶିକ୍ଷକ ମାନେ ଧାରଣାରେ ଥିବାରୁ ପିଲାଙ୍କ ପାଠ ପଢା ବ୍ୟାଘାତ ହୋଇଛି ।
ଶିକ୍ଷକ ଆନ୍ଦୋଳନ ଭିତରେ ଗଣ ଶିକ୍ଷା ମନ୍ତ୍ରୀ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଛନ୍ତି । ସରକାର ଶିକ୍ଷକଙ୍କ ସହ ଅଛନ୍ତି ତାଙ୍କ ଦାବୀ ପୂରଣ ନେଇ ସରକାର ବିଚାର କରୁଛନ୍ତି । ଶିକ୍ଷକଙ୍କ ଦାବିକୁ ନେଇ ସରକାର ସକାରାତ୍ମକ ଅଛନ୍ତି। ଆନ୍ଦୋଳନରୁ ଓହରି ଶିକ୍ଷକମାନେ ସହଯୋଗ କରନ୍ତୁ ଓ ପାଠ ପଢାନ୍ତୁ କହିଛନ୍ତି ମନ୍ତ୍ରୀ ।
ସେପଟେ ଦୁଇ ଦଫା ଦାବିରେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ(ଏନ୍ପିଏସ୍ ବର୍ଗ)ଙ୍କ ଠିକା ଅବଧିକୁ ନିୟମିତ ମାନ୍ୟତା ସହ ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ, ପଦ ଅପଗ୍ରେଡ୍ କରି ଲେବୁଲ୍-୨ ଏବଂ ୩୫,୪୦୦ ଟଙ୍କା ହାରରେ ୪୨୦୦ ଟଙ୍କା ଗ୍ରେଡ୍ ପେ’ ଅନୁଯାୟୀ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି ।
ପୂର୍ବ ଘୋଷଣା ଅନୁଯାୟୀ ପ୍ରାଥମିକ ଶିକ୍ଷକ ମହାସଂଘ(ଏନ୍ପିଏସ୍) ଆହ୍ବାନରେ ହଜାର ହଜାର ଶିକ୍ଷକ ଆଜି ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲ ଫେରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ବିଧାନସଭାର ଶୂନ୍ୟକାଳରେ ବିଧାୟକ ଗୌତମବୁଦ୍ଧ ଦାସ ଓ ଧ୍ରୁବ ସାହୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇବା ସହ ଦାବି ପୂରଣ କରିବାକୁ କହିଛନ୍ତି।
ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଦେଶର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ୩୫, ୪୦୦ ଟଙ୍କା ଓ ତା’ଠାରୁ ଅଧିକ ଏବଂ ୪୨୦୦ ଟଙ୍କା ଗ୍ରେଡ୍ ପେ ହାରରେ ଦରମା ମିଳୁଛି । ଓଡ଼ିଶା ସରକାର ସର୍ବନିମ୍ନ ଦରମା ୫୨୦୦ ଟଙ୍କା ଓ ୨୨୦୦ ଟଙ୍କା ଗ୍ରେଡ ପେ ଅନୁଯାଇ ଦରମା ଦେଉଛନ୍ତି। ୨୦୧୭ରୁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ସିଟିରୁ ଯୁକ୍ତ୨ ସିଟିକୁ ଉନ୍ନୀତ କରାଯାଇଥିଲେ ମଧ୍ୟ ପଦବି ଅପଗ୍ରେଡ୍ କରି ଯୁକ୍ତ୨ ସିଟି ହାରରେ ଦରମା ପ୍ରଦାନ କରାଯାଉ ନାହିଁ ।
ରାଜ୍ୟ ସରକାରଙ୍କ ଅଧୀନରେ ଅନ୍ୟ ବିଭାଗରେ ଯୁକ୍ତ୨ ସିଟି ଯୋଗ୍ୟତାଧାରୀଙ୍କ ଦରମା ୨୯,୪୦୦ ଓ ୨୮୦୦ ଗ୍ରେଡ୍ ପେ ହାରରେ ଦରମା ପ୍ରଦାନ ସହିତ ୧୦ ବର୍ଷ କାର୍ଯ୍ୟକାଳ ସମାପ୍ତି ପରେ ୪୨୦୦ ଗ୍ରେଡ୍ ପେ ଅନୁଯାୟୀ ଦରମା ଦିଆଯାଉଛି। କେବଳ ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ସମାନ କାମକୁ ସମାନ ଦରମା ନୀତି ଉଲ୍ଲଂଘନ ହେଉଛି।
ଅନ୍ୟ ବିଭାଗ କର୍ମଚାରୀଙ୍କର ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିଠାରୁ ନିୟମିତ ରୂପେ ଗଣନା ସହ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ଦିଆଯାଉଛି। ଏ ନେଇ ପ୍ରାଥମିକ ଶିକ୍ଷକ ସଂଘ ନିର୍ଦ୍ଦେଶକ, କମିସନର, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ବି ଦାବି ପୂରଣ ହେଉ ନାହିଁ। ଏଣୁ ଦାବି ହାସଲ ପର୍ଯ୍ୟନ୍ତ ସମୂହ ଛୁଟିରେ ରହି ଆନ୍ଦୋଳନ କରିବାକୁ ମହାସଂଘର ଆବାହକ ରାମଲାଲ ପଟେଲ ଘୋଷଣା କରିଛନ୍ତି।
Follow Us