Chandrasekhar Sir Photograph: (Kanak News)
କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରୁ ଏମିତି ଅନେକ ଶିକ୍ଷକଙ୍କୁ ଆମେ ଦେଖିଛୁ । ଯେଉଁମାନେ ଶିକ୍ଷା ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ଠିକ୍ ସେହିଭଳି ଜଣେ ମହାନ୍ ଶିକ୍ଷକ ହେଉଛନ୍ତି ଚନ୍ଦ୍ରଶେଖର ସାର । ଚିଲିକା ଟାପୁ ଅଞ୍ଚଳର ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ପାଠ ପଢ଼ାଇ ରୋଜଗାର ଦେବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଯେଉଁଥିପାଇଁ ସାରା ଅଞ୍ଚଳରେ ସେ ସମସ୍ତଙ୍କ ପ୍ରିୟ ଚନ୍ଦ୍ରଶେଖର ସାର୍ ଭାବେ ପରିଚିତ ହୋଇପାରିଛନ୍ତି ।
ଯଦି ବିଦ୍ୟାଳୟକୁ ଆମେ ମଣିଷ ତିଆରି କାରଖାନା କହିବା, ତାହେଲେ ଶିକ୍ଷକ ନିଶ୍ଚୟ ବିଶ୍ୱକର୍ମା । ଯିଏ ପିଲାଙ୍କ ଭବିଷ୍ୟତ ଗଢ଼େ । ଯାହାଙ୍କ ସାମାନ୍ୟ ପ୍ରେରଣା ଜଣେ ସାଧାରଣ ପିଲାକୁ ପ୍ରତିଭାବାନରେ ପରିଣତ କରିପାରେ । ସେମିତି ଜଣେ ଶିକ୍ଷକ ହେଉଛନ୍ତି କୃଷ୍ଣପ୍ରସାଦ ବ୍ଳକ ବିଜୁ ପଟ୍ଟନାୟକ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଚନ୍ଦ୍ରଶେଖର ସୁନ୍ଦରାୟ । ସମସ୍ତଙ୍କର ପ୍ରିୟ ଚନ୍ଦ୍ରଶେଖର ସାର୍ । ଗାଁର ନବେ ଭାଗ ଲୋକ ଅନୁସୂଚିତ ଜାତି ଓ ଜନଜାତିର । ପାଠ ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ସେମାନଙ୍କୁ ନିଜ ପରିବାର ଭଳି ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ବୁଝାଉଥିଲେ ଚନ୍ଦ୍ରଶେଖର ସାର୍ ।
ଅଧିକ ପଢ଼ନ୍ତୁ : ଚାଷ କାମ ଯାହାର କେଡ଼େ ସୁଖ ତାହାର ; ଚାଷୀ ପରା ଯୋଗାଉଛି ସବୁ ମୁଖେ ଆହାର
ଚିଲିକା ଅଞ୍ଚଳକୁ ଆସିବା ପରେ ଶିକ୍ଷାର ଅବସ୍ଥା ଦେଖି ସାର୍ଙ୍କ ମନ ଭାଙ୍ଗିଯାଇଥିଲା । ସେବେଠୁ ଆରମ୍ଭ ହୋଇଥିଲା ସାର୍ଙ୍କ ନିଆରା ଅଭିଯାନ । ଘର ଘର ବୁଲି ବୁଝାଇବାରେ ଲାଗିଗଲେ । ବିଜୁ ପଟ୍ଟନାୟକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ମାଗଣା ଶିକ୍ଷାଦାନ ଓ ଷ୍ଟାଇପେଣ୍ଡ ମିଳୁଥିବା ନେଇ ପିଲାଙ୍କୁ ଅବଗତ କରିଥିଲେ । ଯାହା ଫଳରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ସୁଦକ୍ଷା ଯୋଜନାରେ ସାମିଲ କରିବାରେ ସଫଳ ହୋଇଛନ୍ତି ସାର୍ ।
ଚିଲିକା ଟାପୁ ଅଞ୍ଚଳରୁ ଆଉ ଦାଦନ ନବାହାରନ୍ତୁ । ସାରଙ୍କ ଏହି ମହାନ କାମ ପିଲାଙ୍କର ଭବିଷ୍ୟତ ବିକଶିତ କରୁ ।
Follow Us