କନକ ବ୍ୟୁରୋ : ଗାଁ ଦାଣ୍ଡରେ ବିରାଟ ଶୋଭାଯାତ୍ରା । ବାଜାବାଣ ସାଙ୍ଗକୁ ରୋଷଣିରେ କମ୍ପୁଛି ପରିବେଶ । କୌଣସି ନିର୍ବାଚନ ରାଲି କି ବିବାହ ନୁହେଁ । ଜଣେ ଶିକ୍ଷକଙ୍କ ବିଦାୟକାଳୀନ ସମ୍ୱର୍ଦ୍ଧନା ଉତ୍ସବ। ଦୀର୍ଘ ୩୯ ବର୍ଷ କାଳ ଗୋଟିଏ ଶିକ୍ଷାନୁଷ୍ଠାନରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବା ପରେ ଅବସର ନେଇଛନ୍ତି ବିନୋଦ ସାର୍ । ସାର୍ଙ୍କ ବିଦାୟୀକୁ ସ୍ମରଣୀୟ କରିବା ପାଇଁ ଆଡମ୍ବରପୂର୍ଣ୍ଣ ଆୟୋଜନ କରିଛନ୍ତି ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ । ସାର୍ଙ୍କ ସହ ବିତାଇଥିବା ମୂହୁର୍ତ୍ତକୁ ମନେ ପକାଇ ଭାବବିହ୍ବଳ ହୋଇଛନ୍ତି ପିଲାମାନେ । ଖାଲି ସାର୍ଙ୍କୁ ନୁହେଁ, ସାର୍ ବସୁଥିବା ଚେୟାରକୁ ମଧ୍ୟ ବିଦାୟ ଦିଆଯାଇଛି ।
ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା । ୧୯୮୬ରେ ଶିକ୍ଷକ ଭାବେ ଯୋଗଦେଇଥିଲେ । ନିଜ ଶିକ୍ଷକତା ଜୀବନରେ ସେ ୨୦୧୧ରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଶିକ୍ଷକ ପୁରସ୍କାର , ପ୍ରକୃତିମିତ୍ର ପୁରସ୍କାର , ୨୦୨୨ରେ ଗୁରୁବ୍ରହ୍ମା ସମ୍ମାନ , ୨୦୧୬ରେ ମୁମ୍ବାଇ ଠାରେ ଗ୍ଲୋବାଲ ଟିଚର୍ ଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବିଦ୍ୟାଳୟକୁ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ମନ୍ଦିର ଭାବେ ଗଢି ତୋଳିବା ସହ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆଲୋକ ଦେଖାଇଛନ୍ତି ବିନୋଦ ସାର୍ ।