କନକ ବ୍ୟୁରୋ: ସକାଳୁଆ ସ୍କୁଲ। ପ୍ରସ୍ତୁତ ହୋଇ ସ୍କୁଲ ପିଣ୍ଢାରେ ଜଗି ବସିଛନ୍ତି ପିଲାଏ। ହେଲେ ଶିକ୍ଷକଙ୍କ ଦେଖାନାହିଁ । ଏଭଳି ଘଟଣା ଦେଖିବାକୁ ମାଲକାନଗିରିର ଏକ ସ୍କୁଲରେ ।
ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ଏ ବିଦ୍ୟାଳୟ। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଦୂରରେ । ସକାଳୁଆ ସ୍କୁଲ ହୋଇଥିବାରୁ ପିଲାମାନେ ଭୋର ସକାଳୁ ନିଜର ନିତ୍ୟକର୍ମ ସାରି ସ୍କୁଲ ମୁହାଁ ହୋଇଥିଲେ। ଏହି ବିଦ୍ୟାଳୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପିଲା ସ୍କୁଲ ଆସି ଶିକ୍ଷକଙ୍କୁ ଅପେକ୍ଷା କରି ରହିଥିଲେ । ସାଢେ ସାତଟା ପର୍ଯ୍ୟନ୍ତ କୌଣସି ଶିକ୍ଷକଙ୍କର ଦେଖା ମିଳିନଥିଲା । ଆମେ ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ଛାତ୍ରମାନେ ନିକଟରେ ଥିବା ଖେଳ ପଡ଼ିଆରେ ଖେଳୁଥିଲେ ଏବଂ ଛାତ୍ରୀମାନେ ବିଦ୍ୟାଳୟର ପିଣ୍ଡାରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଅପେକ୍ଷା କରିଥିଲେ।
ପ୍ରତ୍ୟେକ ବିଦ୍ୟାଳୟ ସାଢ଼େ ୬ଟାରେ ଖୋଲା ହୋଇ ସାଢେ ଦଶଟାରେ ବନ୍ଦ ହେବା କଥା । କିନ୍ତୁ ଏଠାରେ ସାଢେ ସାତଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଦେଖା ମିଳିନଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି।
ତେବେ ଅତି ତରବରିଆ ଭାବେ ଜଣେ ଶିକ୍ଷକ ଆସି ସ୍କୁଲ ଖୋଲିଥିଲେ । ପିଲାମାନେ ଶିକ୍ଷକଙ୍କୁ କେହି ଜଣେ ବାରମ୍ବାର ଆସି ଥିବା ତାଙ୍କୁ କହିଥିଲେ। ଆମେ ପୁଣି ବିଦ୍ୟାଳୟକୁ ଆସି ତାଙ୍କ ପରିଚୟ ପଚାରିବାରୁ ସେ ବିଦ୍ୟାଳୟର ଶିକ୍ଷକ ହରେକୃଷ୍ଣ ବାରିକ ବୋଲି କହିଥିଲେ । ତେବେ ତାଙ୍କ ଦେହ ଖରାପ ଥିବାରୁ ବିଳମ୍ବ ହୋଇଥିବା ଆମକୁ ସଫେଇ ଦେଇଥିଲେ । ସହର ଭିତରେ ଥିବା ବିଦ୍ୟାଳୟରେ ଯଦି ଏଭଳି ଶିକ୍ଷା ବ୍ୟବସ୍ଥା ତେବେ ଦୁର୍ଗମ ଅଞ୍ଚଳରେ କିପରି ଥିବ ତାହା ସହଜେ ଅନୁମାନ କରିହେଉଛି ।