Teacher Photograph: (Kanak News)
କନକ ବ୍ୟୁରୋ : ପିଲା ଶିକ୍ଷାନୁଷ୍ଠାନକୁ ଆସୁଛନ୍ତି ପାଠ ପଢିବାକୁ । କିନ୍ତୁ ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ଶିକ୍ଷକ । ଭୁବନେଶ୍ୱରରୁ ଏକ ସ୍କୁଲରୁ ଏଭଳି ଅଭିଯୋଗ ଆସିଛି । ଏହାଠାରୁ ଆହୁରି ସମ୍ବଦେନଶୀଳ କଥା ହେଉଛି ଦଶପଲ୍ଲାର ଏକ କୋଚିଂ ସେଣ୍ଟରରେ ୮ମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରିଛନ୍ତି ୧୦ମ ଶ୍ରେଣୀର ଛାତ୍ର, ଆଉ ଭିଡିଓ ବି ବନେଇଛନ୍ତି ।
କାନ୍ଦି କାନ୍ଦି ବେହାଲ ହେଲେଣି ବାପା । ପୁଅଙ୍କୁ ପିଇଟି ଶିକ୍ଷକ ଏମିତି ମାଡ଼ ମାରିଛନ୍ତି ଯେ ନୋଳା ଫଟେଇ ଦେଇଛନ୍ତି । ପୁଅର ଭୁଲ ହେଲା, ଡ୍ରିଲରେ ଶୃଙ୍ଖଳା ଭାଙ୍ଗିଛି । ଭୁବନେଶ୍ୱର ବରମୁଣ୍ଡା, ସିଆରପି ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସରେ ୭ମ ଶ୍ରେଣୀ ଛାତ୍ରଙ୍କୁ ଏଭଳି ମାଡ଼ ମରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ସ୍କୁଲ ପରିସରରେ ଡ୍ରିଲ କ୍ଲାସ ଚାଲିଥିଲା । ଜଣେ ଛାତ୍ର ପଛକୁ ଚାହିଁ ଆଉ ଜଣେ ଛାତ୍ର ସହ କଥା ହେବାରୁ ପିଈଟି ସାର ରାଗିଯାଇଥିଲେ । ବାଡ଼ିରେ ଜଙ୍ଘକୁ ପିଟି ପିଟି ନୋଳା ଫଟେଇଦେଇଥିଲେ । ବାଡ଼ି ଭାଙ୍ଗିଯିବାରୁ ହାତରେ ପିଟି ଗାଲ ଫଟାଇଦେଇଥିଲେ । ପୁଲିସ ପିଇଟି ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକି ପଚରାଉଚରା କରିଛି । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ସରିବ ଶିକ୍ଷାବର୍ଷ, ହେଲେ ଏଯାଏଁ ନିଯୁକ୍ତି ହେଲେନି ଶିଶୁ ସେବିକା
ନୟାଗଡ଼ ଜିଲ୍ଲା ଦଶପଲ୍ଲା ମହାବୀର କୋଚିଂ ସେଣ୍ଟରରେ ଜଣେ ୮ମ ଶ୍ରେଣୀ ଛାତ୍ରକୁ ମେଳି ହୋଇ ପିଟିଲେ ୧୦ମ ଶ୍ରେଣୀର ଛାତ୍ର । ସବୁଠାରୁ ବଡ଼ କଥା ହେଲା ଭିଡିଓ ବି ବନେଇଲେ । ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଦଶପଲ୍ଲା ମହାବୀର କୋଚିଂ ସେଣ୍ଟରରେ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରାୟ ୧୦୦ ରୁ ଅଧିକ ପିଲା ରହି ପାଠ ପଢ଼ନ୍ତି । କୌଣସି କାରଣରୁ ହଷ୍ଟେଲର ଜଣେ ୮ମ ଶ୍ରେଣୀ ଛାତ୍ରକୁ ୩ ଜଣ ଛାତ୍ର ମାଡ଼ ମାରିଛନ୍ତି ।
ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ କୋଚିଂ ସେଣ୍ଟର ମାଲିକ ରଶ୍ମିରଞ୍ଜନ ପଟନାୟକଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରହିଛି । ଉଭୟ ମାଡ଼ ମାରିଥିବା ଓ ପୀଡିତଙ୍କ ଅଭିଭାବକ ଙ୍କୁ ବି ଡକାଇଛି ପୁଲିସ୍ ।
Follow Us