କନକ ବ୍ୟୁରୋ : ବାଲେଶ୍ବରରୁ ପୁଣି ଆସିଛି ଲଜ୍ଜିତ କଲା ଭଳି ଖବର । ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହୁତି ପରେ ଏବେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଶିକ୍ଷକ । ପ୍ରାଇଭେଟ୍  କ୍ୟାବିନକୁ ନ ଆସିଲେ ଫେଲ୍‌ କରାଇଦେବାର ଭୟ ଦେଖାଇ ମାସ ମାସ ଧରି କରୁଥିଲେ ଅଶାଳୀନ ଇଙ୍ଗିତ । ଯୌନ ଲାଳସାକୁ ଚରିତାର୍ଥ କରିବାକୁ ଗୁରୁ-ଶିଷ୍ୟ ପରମ୍ପରାରେ ବୋଳିଥିଲେ କାଳିମା । 

Advertisment

ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ନାହାନ୍ତି ଛାତ୍ରୀ । ଦେବତା ସମାନ ଶିକ୍ଷକଙ୍କ ଦାନବ ପ୍ରକୃତି ପାଇଁ ଗୁରୁ-ଶିଷ୍ୟ ପବିତ୍ର ପରମ୍ପରାରେ ବୋଳି ହୋଇଛି କଳା ଦାଗ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ରାଇବଣିଆର ପୃଥୁନାଥ ହାଇସ୍କୁଲର ସହକାରୀ ଓ ପ୍ରଧାନ ଶିକ୍ଷକ । ଏ ହେଉଛନ୍ତି ସେହି ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ବେଜ , ଗୁରୁ ନାଁରେ କଳଙ୍କ । ସ୍କୁଲର ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତ ୩ ମାସ ଧରି ଅସଦାଚରଣ କରି ଗିରଫ ହୋଇଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ପଦକ୍ଷେପ ନ ନେବାରୁ ପ୍ରଧାନଶିକ୍ଷକ ମଧ୍ୟ ସମଦଶା ଭୋଗିଛନ୍ତି । ଛାତ୍ରୀଙ୍କ ମା’ ଆଣିଥିବା ଅଭିଯୋଗ ଅନୁଯାୟୀ,୩ ମାସ ହେବ ଝିଅକୁ ଅସଦାଚରଣ କରୁଥିଲେ କୈଳାଶ । ପାଠ ପଢ଼ାଇବା ବେଳେ ଝିଅର ଶରୀରକୁ ବାରମ୍ବାର ସ୍ପର୍ଶ କରୁଥିଲେ । ପ୍ରାଇଭେଟ୍‌ କ୍ୟାବିନକୁ ଆସିବାକୁ କରୁଥିଲେ ବାଧ୍ୟ । ରାଜି ନହେଲେ ପରୀକ୍ଷାରେ ଫେଲ୍ କରିବାକୁ ଦେଉଥିଲେ ଧମକ ।

ପୁଲିସ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ସ୍କୁଲରେ ପହଞ୍ଚି ପଚରାଉଚରା କରିଛି । ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି । ଅନ୍ୟପଟେ ବାଲେଶ୍ବର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କହିଛନ୍ତି,  ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କୈଳାଶଙ୍କ ଭଳି ଶିକ୍ଷକଙ୍କ ପାଇଁ ଶିକ୍ଷାନୁଷ୍ଠାନରେ କେବଳ ଶୈକ୍ଷିକ ବାତାବରଣ ନଷ୍ଟ ହେଉନି ବରଂ ସ୍କୁଲକୁ ଆସିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ । ବଦନାମ ହେଉଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ତେଣୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି ।