କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଟାକ୍ସି ଡ୍ରାଇଭରଙ୍କୁ ବୀଭତ୍ସ ହତ୍ୟା । ଅପହରଣର ୫ ଦିନ ପରେ ଚନ୍ଦକା ନିକଟ ରାସ୍ତାରୁ ମିଳିଲା କ୍ଷତବିକ୍ଷତ ମୃତଦେହ । ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ପୁଲିସ ଘଟଣାର ଖୋଳତାଡ଼ ଚଳାଇଛି । 

Advertisment

ଟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରି ଚନ୍ଦକା ନିକଟ ରାସ୍ତାରେ ଫିଙ୍ଗିଲେ ଦୁର୍ବୃତ୍ତ । ବାରଙ୍ଗ-ଚନ୍ଦକା ମୁଖ୍ୟ ରାସ୍ତାରୁ ମିଳିଲା କ୍ଷତବିକ୍ଷତ ମୃତଦେହ । ମୃତକଙ୍କ ନାଁ ବିଦ୍ୟାଧର ସାହୁ। ଘର ଖୋର୍ଦ୍ଧା ବାଣପୁର ନିକଟ ଅରାଙ୍ଗ ଗାଁରେ । ଗତ ୧୫ ତାରିଖରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ବଡଗଡ ଥାନାରେ ହୋଇଥିଲା ଅଭିଯୋଗ । ୨ କୋଟି ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ । ତେବେ ପୁଲିସ ଏହାକୁ ଗୁରୁତ୍ୱର ସହ ନେଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । 

ବିଦ୍ୟାଧର ଭୁବନେଶ୍ୱର ଓ କଟକରେ ଟାକ୍ସି ଚଳାଉଥିଲେ । ଜଣେ ମହିଳାଙ୍କୁ ସେ ପ୍ରତିଦିନ ଭୁବନେଶ୍ବରରୁ କଟକ ନେବା ଆଣିବା କରୁଥିଲେ ବୋଲି ତାଙ୍କର ସଂପର୍କୀୟ କହିଛନ୍ତି । ହତ୍ୟା ପଛରେ ଟଙ୍କା କାରବାର କଥା ସାମ୍ନାକୁ ଆସୁଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡିନାହିଁ । ଚନ୍ଦକା ଓ ବଡ଼ଗଡ଼ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ଖୋଳତାଡ଼ ଚଳାଇଛନ୍ତି ।