କନକ ବ୍ୟୁରୋ : ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ମହିଳା । ପ୍ରଥମେ ଭାଟି ଭାଙ୍ଗି ଦେଶୀ ମଦକୁ ନଷ୍ଟ କଲେ । ମହିଳା ଓ ଯୁବ ଗୋଷ୍ଠୀଙ୍କ ଏଭଳି ଆକ୍ରୋଶ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚିକିଲି ଗାଁରେ। ଗାଁର ରମେଶ ସାହୁ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ମଦ କୋଠି ଖୋଲି ଗାଁ ପରିବେଶକୁ ନଷ୍ଟ କରୁଥିଲେ । ମଦ ପିଇ ଗାଁର ଯୁବକ, ଖଟିଖିଆ ପଥଭ୍ରଷ୍ଟ ହେବା ସହ ଘରେ ଘରେ ଅଶାନ୍ତିର ବାତାବାରଣ ସୃଷ୍ଟି ହେଉଥିଲା। ତେଣୁ ଗାଁରୁ ନିଶାଦ୍ରବ୍ୟ ହଟାଇବାକୁ ମହିଳା ଏକଜୁଟ ହୋଇ ମଦ ଭାଟି ଭାଙ୍ଗି ନଷ୍ଟ କରିଛନ୍ତି ।  

Advertisment

ଚିକିଲି ଗାଁରେ ମଦକୋଠିକୁ ତୀବ୍ର ବିରୋଧ କରି ଆସୁଥିଲେ ଗ୍ରାମର ମହିଳା ସଙ୍ଘ । କିନ୍ତୁ ମଦଭାଟି ବନ୍ଦ ନକରିବାରୁ ଗ୍ରାମର ମହିଳା ସଙ୍ଘ ଓ ସଚେତନ ନାଗରିକମାନେ ମଦ ଭାଟିରେ ପହଞ୍ଚି ଭାଙ୍ଗି ଦେଇଛନ୍ତି । ଏଥିସହ କୋକସରା ଥାନା କୁ ଆସି ମଦ କୋଠି ବନ୍ଦ କରିବାକୁ ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗାଁରେ ମଦକୋଠି ବନ୍ଦ କରାନଗଲେ ଆଗକୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସଚେତନ ନାଗରିକ ମଞ୍ଚ ।