କନକ ବ୍ୟୁରୋ: ଗୋଟିଏ ପଟେ ବିଜୁଳି ମନ୍ତ୍ରୀ ପାୱାର କଟ୍ ହେବନାହିଁ ବୋଲି କହୁଛନ୍ତି ତ ଅନ୍ୟପଟେ ଟାଟା ପାୱାରର ଦାଦାଗିରିରେ ଅନ୍ଧାରରେ ଅଛନ୍ତି ୬ ଦିନ ହେଲାଣି ୪୫୦ ପରିବାରର ଲୋକେ । ପରୀକ୍ଷା ସମୟରେ ପିଲା ପାଠ ପଢ଼ିପାରୁ ନ।ହାନ୍ତି ଓ ଅସହ୍ୟ ଗରମରେ ଲୋକେ କଲବଲ ହେଉଛନ୍ତି । ଅଧିକାଂଶ ଲୋକେ ଗରୀବ ସୀମାରେଖା ତଳେ । ବକେୟା ବିଲ୍ ପାଇଁ ଟ୍ରାନ୍ସଫର୍ମରରୁ ବିଜୁଳି ସଂଯୋଗ କାଟି ଦେଇଛି ବିଜୁଳି ବିଭାଗ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରଣସାହି ୭ ନମ୍ୱର୍ ୱାର୍ଡରେ ।

Advertisment


ଏବେ ଗରମ ସାଙ୍ଗକୁ ଗୁଳୁଗୁଳି ଦିନକୁ ଦିନ ବଢ଼ିବାର ଲାଗିଛି । ଫ୍ୟାନ ନବୁଲିଲେ ବସି ହେଉ ନାହିଁ କି ଶୋଇ ହେଉନାହିଁ । କିନ୍ତୁ ସପ୍ତାହେ ହେଲାଣି ବାଲେଶ୍ଵର ସଦର ବ୍ଲକ୍ ରଣସାହି ଗାଁ ଅନ୍ଧାରରେ । ଟାଟା ପାୱାରର ଦାଦାଗିରି ଯୋଗୁ ଗାଁର ୪୫୦ ରୁ ଉର୍ଦ୍ଧ୍ବ ପରିବାରର ୧୦୦୦ରୁ ଉର୍ଦ୍ଧ୍ବ ଲୋକ ସପ୍ତାହେ ହେଲାଣି ଅନ୍ଧାରରେ ଅଛନ୍ତି । କିଛି ଲୋକଙ୍କ ବିଦ୍ୟୁତ୍ ବିଲ ବାକି ଥିବାରୁ ବିଦ୍ୟୁତ୍ ବିତରଣ ସଂସ୍ଥା ଟାଟା ପାୱାର ରଣସାହି ଗାଁ ଟ୍ରାନ୍ସଫର୍ମରରୁ ବିଜୁଳି ସଂଯୋଗ କାଟି ଦେଇଛି । ଫଳରେ ପୁରା ଗାଁ ଅନ୍ଧାରରେ । ଲାଇନ ନଥିବାରୁ ପାଣି ମଧ୍ୟ ନାହିଁ । ଏବେ ସ୍କୁଲ ପିଲାଙ୍କ ପରୀକ୍ଷା ଚାଲିଥିବା ବେଳେ ଗରମ ଯୋଗୁ ରାତିରେ ଶୋଇପାରୁ ନାହାନ୍ତି । ଫଳରେ ପାଠ ପଢାରେ ମଧ୍ୟରେ ବାଧା ଉପୁଜୁଛି    ।
 
ମନଇଚ୍ଛା ଆସୁଛି ବିଦ୍ୟୁତ୍ ବିଲ୍
ସମାଧାନ ଚାହୁନି ଟାଟା ପାୱାର !

ଗାଁର ଅଧିକାଂଶ ଲୋକ ଗରିବ । ଦିନ ମଜୁରିଆ ଭାବେ କାମ କଲେ ସେମାନଙ୍କ ଘର ଚୁଲି ଲାଗେ । କିନ୍ତୁ ମୋଟା ଅଙ୍କର ବିଜୁଳି ବିଲ୍ ତାଙ୍କୁ ଆଶ୍ଚର୍ୟ୍ୟ କରିଛି । ବିଦ୍ୟୁତ୍ ବିଲ୍ କାହାର ୮୦ ହଜାର ତ ଆଉ କହାର ୯୫ ହଜାର ଆସୁଛି । କିଛି ଲୋକଙ୍କ ବିଲ୍ ଏକ ଲକ୍ଷ ପାର୍ କରିଯାଇଛି । ମାର୍ଚ୍ଚ ମାସ ଭିତରେ ବିଲ୍ ପୈଠ କରିବାକୁ କହିଛି ବିଭାଗ । କିନ୍ତୁ ବିଲ ପୈଠ କରିବାରେ ଅସମର୍ଥ ଗ୍ରାମବାସୀ । ଗ୍ରିଡକୋ ବିଦ୍ୟୁତ୍ ବିତରଣ ଦାୟୀତ୍ବରେ ଥିବା ସମୟରେ ଏମାନେ BPL ଅନ୍ତର୍ଭୁକ୍ତ କୁଟିର ଜ୍ୟୋତି ଯୋଜନାରେ ବିଜୁଳି ସଂଯୋଗ ପାଇଥିଲେ । ଟାଟା ପାୱାର ଆସିବା ପରଠାରୁ ନିୟମିତ ସମସ୍ତେ ବିଲ୍ ପୈଠ କରିଚାଲିଛନ୍ତି ତଥାପି ବକେୟା ବିଲ୍ ଦେବାକୁ ବାଧ୍ୟ କରୁଛି ସଂସ୍ଥା । ଏପରିକି ମିଟର ନଲଗାଇ ମଧ୍ୟ ବିଲ୍‌ ଦିଆଯାଉଥିବା ଅଭିଯୋଗ ହୋଇଛି । ବଡ଼ କଥା ହେଉଛି ବିଜୁଳି ବିଭାଗର One Time Settlement ବ୍ୟବସ୍ଥା ଥିଲେ ମଧ୍ୟ ସେ ସୁବିଧା ମଧ୍ୟ ଦେଉନାହିଁ ବିଭାଗ। ବରଂ ୬୦ ଟଙ୍କା ବାକି ଥିବାରୁ ବିଦ୍ୟୁତ୍ କାଟି ଦେଉଛି ଟାଟା ପାୱାର ।
 
ଗୋଟାଏ ପଟେ ବିଜୁଳି ମନ୍ତ୍ରୀ ବିଜୁଳି କଟିବନି କହୁଥିବା ସମୟରେ ଟାଟା ପାୱାରର ଏଭଳି ଦାଦାଗିରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଯାହା ବିଲ୍ ବାକି ଅଛି ସେ ଅନ୍ଧାରରେ ଆଉ ଯିଏ ପୈଠ କରିଛି ସେ ବି ଅନ୍ଧାରରେ । କିନ୍ତୁ ସମସ୍ୟା ବୁଝିବାକୁ ରାଜି ନୁହଁନ୍ତି ବିଜୁଳି ଅଧିକାରୀ । ଯଥାଶୀଘ୍ର ବିଜୁଳି ସଂଯୋଗ ଦେବାକୁ ଅନୁରୋଧ କରିଛନ୍ତି ଗାଁ ଲୋକେ ।