କନକ ବ୍ୟୁରୋ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଲଣ୍ଡନ ଅଭିମୁଖେ ବାହାରି ପ୍ରାଣ ହରାଇଥିବା ଯାତ୍ରୀ କେବେ ଭାବି ନଥିବେ ଏହା ଯେ ଶେଷ ଯାତ୍ରା ହେବ । ୨୪୨ ଯାତ୍ରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୦୪ ଯାତ୍ରୀଙ୍କ ମୃତ୍ୟୁ ହୋଇ ସାରିଛି । ଏବେ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛି ଟାଟା ଗ୍ରୁପ୍ ।
ପ୍ରତି ମୃତକଙ୍କ ପରିବାର ପାଇଁ କୋଟିଏ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ଟାଟା ଗ୍ରୁପ୍ । ଖାଲି ସେତିକି ନୁହେଁ, ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ବି ବହନ କରିବ । ବିଜେ ମେଡିକାଲର ଯେଉଁ କୋଠା ଉପରେ ବିମାନ ଖସି ପଡ଼ିଥିଲା ତାହାର ଦାୟିତ୍ୱ ବି ଟାଟା ଗ୍ରୁପ ନେଇଛି । ଏହାକୁ ମରାମତି କରିବ ଟାଟା ଗ୍ରୁପ୍ । ଏହାକୁ ନେଇ ଟାଟା ଗ୍ରୁପ୍ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ସୂଚନା ଦେଇଛନ୍ତି ।
Tata Group will provide Rs 1 crore to the families of each person who has lost their life in this tragedy. We will also cover the medical expenses of those injured and ensure that they receive all necessary care and support. Additionally, we will provide support in the building… pic.twitter.com/n6X8sJU5Ei
— ANI (@ANI) June 12, 2025
ଆଜି ପ୍ରାୟ ଦିନ ୧. ୩୮ ବେଳେ ଅହମ୍ମଦାବାଦ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆର ଏକ ବିମାନ । ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଟେକ୍ଅଫ୍ କରିଥିଲା । ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ । ହେଲେ ମାତ୍ର ୫ ମିନିଟ ମଧ୍ୟରେ ଏହାରେ ବିଜେ ମେଡିକାଲ କଲେଜ୍ ଡାକ୍ତରୀ ଛାତ୍ରୀ ହଷ୍ଟେଲ କୋଠା ଉପରେ ଖସି ପଡ଼ିଥିଲା ।
କେହି କିଛି ବୁଝିବା ପୂର୍ବରୁ ବିମାନଟି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଯେଉଁଥିରେ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିରେ କ୍ର୍ୟୁ ମେମ୍ବର ବି ସାମିଲ ରହିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ବି ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।