କନକ ବ୍ୟୁରୋ : ଆମେରିକାର ଶୁଳ୍କ ମାଡ଼ରେ ଠପ୍ ହୋଇଯାଇଛି ଓଡ଼ିଶାର ଚିଙ୍ଗୁଡ଼ି ଶିଳ୍ପ । ରପ୍ତାନି ବନ୍ଦ ହୋଇଯାଇଛି । ମତ୍ସ୍ୟଜୀବୀ ଚିନ୍ତାରେ ପଡିଛନ୍ତି । ତେଣୁ ଚିଙ୍ଗୁଡ଼ି ଶିଳ୍ପକୁ ଟ୍ରାକ୍କୁ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ରାଜ୍ୟର ପ୍ରମୁଖ ଚିଙ୍ଗୁଡ଼ି ରପ୍ତାନକାରୀ ସଂସ୍ଥା ଫାଲକନର ମୁଖ୍ୟ ତାରା ପଟ୍ଟନାୟକ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଶୁଳ୍କ ଛାଟ ଚିଙ୍ଗୁଡ଼ି ରପ୍ତାନି ଉପରେ ପଡ଼ିଛି । ରପ୍ତାନି ବନ୍ଦ ହେବା ଫଳରେ ବ୍ୟାବସାୟିକ ସଂସ୍ଥା ଓ ଲକ୍ଷ ଲକ୍ଷ ଚିଙ୍ଗୁଡ଼ି ଚାଷୀଙ୍କ ଜୀବିକା ପ୍ରତି ସଙ୍କଟ ଦେଖାଦେଇଛି । ଓଡ଼ିଶା ବି ଏଥିରୁ ବାଦ୍ ପଡ଼ିନି । ଏହି ସମୟରେ ଚିଙ୍ଗୁଡ଼ି ରପ୍ତାନି କରୁଥିବା ଓଡ଼ିଶାର ପ୍ରମୁଖ ସଂସ୍ଥା ଫାଲକନ୍ ମେରାଇନ ଏକ୍ସପୋର୍ଟସର ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଏଥିରେ ସେ ଲେଖିଛନ୍ତି, ଚିଙ୍ଗୁଡ଼ି ଶିଳ୍ପକୁ ରକ୍ଷା କରିବାକୁ ଜରୁରୀକାଳୀନ ପଦକ୍ଷେପ ନିଆଯାଉ । ସରକାରଙ୍କ ପ୍ରୋକ୍ୟୁରମେଣ୍ଟ କାର୍ଯ୍ୟକ୍ରମରେ ଚିଙ୍ଗୁଡ଼ିକୁ ସାମିଲ କରାଯାଉ । ପୁଷ୍ଟିସାଧନ ଯୋଜନା ଓ କଲ୍ୟାଣକାରୀ ଯୋଜନାରେ ଚିଙ୍ଗୁଡ଼ିକୁ ସାମିଲ କରାଯାଉ । ଏହାଦ୍ୱାରା ଚିଙ୍ଗୁଡ଼ିର ଚାହିଦା ବଢ଼ିବ ଓ ବିଦେଶକୁ ରପ୍ତାନି ହେଉଥିବା ଚିଙ୍ଗୁଡ଼ିର ନିର୍ଭରଶୀଳତା କମିବ ।
ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଚିଙ୍ଗୁଡ଼ି ରପ୍ତାନି ଦ୍ରୁତ ଗତିରେ ବଢ଼ିଛି । ୨୦୦୪-୦୫ରେ ରାଜ୍ୟରେ ଚିଙ୍ଗୁଡ଼ି ରପ୍ତାନି ପରିମାଣ ୩୦୦ରୁ ୪୦୦ କୋଟି ଥିଲା । ୨୦୨୪-୨୫ରେ ଏହା ୪୭୦୦ କୋଟି ଟଙ୍କାରେ ପହଞ୍ଚିଛି । ଆମେରିକା ବଜାରରେ ଭାରତୀୟ ଚିଙ୍ଗୁଡ଼ିର ଚାହିଦା ବେଶି । କିନ୍ତୁ ଚିଙ୍ଗୁଡ଼ି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ପରେ ଏହାର ସିଧାସଳଖ ପ୍ରଭାବ ଓଡିଶାର ଚିଙ୍ଗୁଡି ରପ୍ତାନି ଉପରେ ପକାଇଛି । ରାତି ପାଇଲେ ମତ୍ସ୍ୟଜୀବୀ ଚିଲିକା ଓ ଉପକୂଳବର୍ତ୍ତୀ ଅଞ୍ଚଳରୁ ମାଛ ଧରି ଦୁଇ ପଇସା ରୋଜଗାର କରୁଥିଲେ । ଏବେ ଶୁଳ୍କ ମାଡ଼ରେ ୧୫ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି । ଚିଙ୍ଗୁଡି ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି ।
ଚିଙ୍ଗୁଡ଼ି ଉତ୍ପାଦନ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିଲା । ଏବେ ଆମେରିକାକୁ ରପ୍ତାନୀ ବନ୍ଦ ହେବା ପରେ ବିକଳ୍ପ ବ୍ୟବସାୟୀ ଜରୁରୀ ହୋଇପଡ଼ିଛି ।