କନକ ବ୍ୟୁରୋ: ପୂର୍ବ ସରକାର ବେଳେ ଆଦିବାସୀଙ୍କୁ ଅଣଦେଖା କରାଯାଉଥିଲା । କିନ୍ତୁ ଏନଡିଏ ସରକାର ଆସିବା ପରେ ଆଦିବାସୀଙ୍କ ବିକାଶ ପାଇଁ ଅହରହ କାର୍ଯ୍ୟ କରୁଛି । ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାମିଲ ହୋଇ ବିହାର ଜାମୁଇରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଜନଜାତୀୟ ଗୌରବ ଦିବସ ଅବସରରେ ଦିଲ୍ଲୀରେ ବିର୍ସା ମୁଣ୍ଡାଙ୍କ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । 

Advertisment

ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀକୁ ଆଜି ଜନଜାତୀୟ ଗୌରବ ଦିବସ ଭାବେ ପାଳିଛି ସାରା ଦେଶ । ବିର୍ସାମୁଣ୍ଡାଙ୍କ ବଳିଦାନ ଓ ବୀରତ୍ୱର କାହାଣୀକୁ ମନେ ପକାଇବା ସହ ଆଦିବାସୀଙ୍କ ବାଦ୍ୟର ତାଳେ ତାଳେ ନାଚିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ପରେ କିଭଳି ଆଦିବାସୀଙ୍କୁ ଅବହେଳା କରାଯାଇଛି ଏବଂ ଏହି ଅବହେଳା ପଛରେ କିଭଳି ରହିଥିଲା ଗୋଟିଏ ପରିବାରର ରାଜନୈତିକ ଅଭିସନ୍ଧି, ସେନେଇ ବିହାର ଜାମୁଇରୁ ଟାର୍ଗେଟ କରିଛନ୍ତି  ପ୍ରଧାନମନ୍ତ୍ରୀ । ଏନଡିଏ ସରକାର ବେଳେ ଦେଶରେ ଆଦିବାସୀ ମନ୍ତ୍ରଣାଳୟ ପ୍ରତିଷ୍ଠା ହୋଇଛି । ଆଦିବାସୀଙ୍କ ବିକାଶ ପାଇଁ ଏନଡିଏ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଦେଶରେ ଗତ ୧୦ ବର୍ଷ ଭିତରେ ୨ଟି ନୂଆ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଏହାର ନମୁନା । ଜନଜାତୀୟ ଗୌରବ ଦିବସ ଅବସରରେ ଆଦିବାସୀ ବର୍ଗଙ୍କ ବିକାଶ ପାଇଁ ୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୋଦି। ଏଥିସହ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ଏନଡିଏର ସୌଭାଗ୍ୟ ବୋଲି ବିହାରରୁ ପୂର୍ବ ୟୁପିଏ ସରକାରକୁ ଟାର୍ଗେଟ କରି କହିଥିଲେ ପ୍ରଧାନମନ୍ତ୍ରୀ । 

ଜନଜାତି ସମ୍ପ୍ରଦାୟ ହେଉଛନ୍ତି ଓଡ଼ିଶାର ଶକ୍ତି ଓ ଆତ୍ମା । ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖାଯାଉଥିଲା । କିନ୍ତୁ ଏବେ ବିଜେପି ସରକାର ଆସିବା ପରେ ଆଦିବାସୀଙ୍କ ସଂସ୍କୃତିକୁ ସୁରକ୍ଷା ଦେବା ପ୍ରାଥମିକତା ବୋଲି ଭୁବନେଶ୍ୱର ଜନତା ମଇଦାନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନଜାତୀୟ ଗୌରବ ଦିବସରେ ୧୫ ଶହ ୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

 ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଉନ୍ମୋଚିତ ହୋଇଛି ବିରାଟ ପ୍ରତିମୂର୍ତ୍ତି। ଦିଲ୍ଲୀର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।