Photograph: (kanak news)
କନକ ବ୍ୟୁରୋ: ଗୋଟିଏ ପଟେ ବିଜେଡିର ପୋଲାଭରମ ପ୍ରସଙ୍ଗ । ଅନ୍ୟପଟେ ତାରା ବାହିନୀପତି ନିଲମ୍ବନ ପ୍ରତ୍ୟାହାର ଦାବିରେ କଂଗ୍ରେସର ରଣହୁଙ୍କାର। ତାରାଙ୍କ ଉପରୁ ନିଲମ୍ବନ ହଟିବା ନେଇ ବାଚସ୍ପତି ସର୍ତ୍ତ ରଖିଥିବା ବେଳେ କଂଗ୍ରେସ ଦଳ କିନ୍ତୁ ଜିଦରେ ଅଟଳ। ମହିଳା ସୁରକ୍ଷା ନେଇ ସରକାର କମିଟି ଗଠନ ନକରିବା ଯାଏଁ କ୍ଷମା ମାଗିବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି ତାରା।
ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ପୋଲାଭରମ ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରିଥିଲା ବିଜେଡି। ଏହାରି ଭିତରେ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ରଣହୁଙ୍କାର ଦେଇଥିଲା କଂଗ୍ରେସ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ତାପରେ ଗୃହ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ନିଲମ୍ବନ ପ୍ରତ୍ୟାହାର ଦାବିରେ ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ। ଦିନ ତମାମ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଏମିତି ଲାଗି ରହିଥିଲା ଛକାପଞ୍ଜା।
ନିଲମ୍ବନ ହଟାଇବାକୁ ଚାପ ପଡିବା ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । କିନ୍ତୁ ତାରାଙ୍କ ଉପରୁ ନିଲମ୍ବନ ହଟାଇବା ପାଇଁ ବୈଠକରେ କଡା ସର୍ତ୍ତ ରଖିଥିଲେ ବାଚସ୍ପତି। କ୍ଷମା ପ୍ରାର୍ଥନା କଲେ ନିଲମ୍ବନ ହଟାଯିବ ବୋଲି ରୋକଠୋକ୍ ଶୁଣାଇଥିଲେ। ତେବେ ବାଚସ୍ପତିଙ୍କ ସର୍ତ୍ତକୁ ସିଧାସଳଖ ପ୍ରତ୍ୟାଖାନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ହେଲେ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ମହିଳାଙ୍କ ସୁରକ୍ଷା ନେଇ ଏକ ହାଉସ କମିଟି ଗଠନ କରାଯାଉ ବୋଲି ସର୍ତ ରଖିଛନ୍ତି ତାରା।
ବୁଧବାର ପ୍ରଶ୍ନକାଳରେ ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖୁଥିବାବେଳେ ତାଙ୍କ ପାଖକୁ ଯାଇ ନାରାବାଜି କରିଥିଲେ ତାରା। ଏଥିସହ ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତାରାଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ୭ଦିନ ପାଇଁ ଗୃହରୁ ନିଲମ୍ବନ କରିଥିଲେ ବାଚସ୍ପତି। ଯାହାକୁ ବିରୋଧ କରୁଛି କଂଗ୍ରେସ। ଏବଂ ତାରାଙ୍କ ସମର୍ଥନରେ ବାହାରିଛି ବିଜେଡି।
Follow Us