କନକ ବ୍ୟୁରୋ:  କାହିଁକି ଭୋ ଭୋ ହୋଇ କାନ୍ଦିକି ଭିଡିଓ  ପୋଷ୍ଟ କଲେ  ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ।  ଏହି କାନ୍ଦିବା ପଛର କାରଣ ଘୋରଇ ହିଂସାକୁ କହିଛନ୍ତି ଅଭିନେତ୍ରୀ । ଏକ ଭାଇରାଲ୍ ଭିଡିଓରେ କାନ୍ଦି କାନ୍ଦି ନିଜ ଘରେ ହିଁ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ତନୁଶ୍ରୀ ।  ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏହି ଭିଡିଓରେ ସେ ଭାଙ୍ଗି ପଡ଼ିଥିବା ନଜର ଆସିଛନ୍ତି ଏବଂ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ତେବେ ତୁନୁଶ୍ରୀ ଦତ୍ତା ହେଉଛନ୍ତି ସେହ ଅଭିନେତ୍ରୀ ଯିଏ କି #MeToo ଆନ୍ଦୋଳନ ଆରମ୍ଭ କରିଥିଲେ ।  ପୁଣି ଥରେ  ତନୁଶ୍ରୀଙ୍କ ଏପରି  ଏକ ଅଭିଯୋଗ କରି କାନ୍ଦି କାନ୍ଦି ଭିଡିଓ ସେୟାର କରିଛନ୍ତି । ୨୦୧୮ରେ #MeToo ଆନ୍ଦୋଳନ ଆରମ୍ଭ କରିଥିବା ତନୁଶ୍ରୀ କହିଛନ୍ତି ଯେ ସେହି ସମୟରୁ ତାଙ୍କୁ ଲଗାତାର ହଇରାଣ କରାଯାଉଛି । 

Advertisment

 ଭିଡିଓରେ କ'ଣ କହିଲେ ତନୁଶ୍ରୀ?
ଏକ ଭାବବିହ୍ୱଳ ଭିଡିଓରେ ତନୁଶ୍ରୀ କହିଛନ୍ତି, "ମୋତେ ମୋ ନିଜ ଘରେ ହିଁ ହଇରାଣ କରାଯାଉଛି। ମୁଁ  ପୁଲିସ୍‌କୁ ଡାକିଥିଲି ଏବଂ ସେମାନେ ମୋତେ ପୁଲିସ ଷ୍ଟେସନକୁ ଆସି ଅଭିଯୋଗ କରିବାକୁ କହିଛନ୍ତି। ମୁଁ ବୋଧହୁଏ ଆସନ୍ତାକାଲି କିମ୍ବା ପରଦିନ ଯିବି। କାରଣ ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଅସୁସ୍ଥ ମନେ କରୁଛି  । 
ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୪-୫ ବର୍ଷ ଧରି ଚାଲିଥିବା ଏହି ନିର୍ଯାତନା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ୁଛି । ତନୁଶ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘରେ କାମ କରିବାକୁ ଆସୁଥିବା ଚାକରାଣୀମାନଙ୍କୁ ମଧ୍ୟ ତାଙ୍କ ବିରୋଧରେ ଲଗାଯାଇଥିଲା, ଯେଉଁମାନେ ତାଙ୍କ ଜିନିଷ ଚୋରି କରୁଥିଲେ ।  ଏହି କାରଣରୁ ସେ ଏବେ ଘରର ସମସ୍ତ କାମ ନିଜେ କରୁଛନ୍ତି ।  

ତନୁଶ୍ରୀ ଏକ ଅଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଆପାର୍ଟମେଣ୍ଟ ବାହାରେ ଏବଂ ଛାତ ଉପରେ ଅଶ୍ଳିଳ ଶବ୍ଦ ଶୁଣାଯାଉଛି । ସେ ଦାବି କରିଛନ୍ତି ଯେ ୨୦୨୦ ମସିହାରୁ ବିଳମ୍ବିତ ରାତିରେ ଏପରି ଶବ୍ଦ ଶୁଣିବାକୁ ମିଳୁଛି।  ଏନେଇ ସେ ବିଲ୍ଡିଂ ମ୍ୟାନେଜମେଣ୍ଟକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବର୍ତ୍ତମାନ ସେ ଏଥିରୁ ବଞ୍ଚିବା ପାଇଁ ହେଡଫୋନ୍ ଲଗାଇ ହିନ୍ଦୁ ମନ୍ତ୍ର ଶୁଣୁଛନ୍ତି ।

#MeToo ଏବଂ ନାନା ପାଟେକର ବିବାଦ
୨୦୧୮ ମସିହାରେ ତନୁଶ୍ରୀ  ଦତ୍ତା  ଅଭିନେତା ନାନା ପାଟେକରଙ୍କ ବିରୋଧରେ ୨୦୦୮ ମସିହାରେ 'ହର୍ଣ୍ଣ ଓକେ ପ୍ଲିଜ' ଫିଲ୍ମ ସେଟରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, ଯାହା ବଲିଉଡରେ #MeToo ଆନ୍ଦୋଳନକୁ ଜନ୍ମ ଦେଇଥିଲା । ଏହି ଘଟଣା ପରଠାରୁ ତାଙ୍କୁ ଲଗାତାର ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ତେବେ  ତନୁଶ୍ରୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କୁ ସମର୍ଥନ ଜଣାଇଛନ୍ତି । ସେମାନେ କର୍ତ୍ତୃପକ୍ଷଙ୍କୁ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।