କନକବ୍ୟୁରୋ : ତାମିଲନାଡୁ କରୁର ଦଳାଚକଟା ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି । ୪୧ ଜଣଙ୍କ ଜୀବନ ଯାଇଥିବା ଏହି ଅଘଟଣ ପାଇଁ କେବଳ ତାମିଲଗା ଭେଟ୍ରି କାଝାଗମ୍- ଟିଭିକେ ମୁଖ୍ୟ ଥାଲାପତି ବିଜୟ ଦାୟୀ ନା ଆଉ କାହାକୁ ଦାୟୀ କରାଯିବ ? କରୁର କୁ ଏନଡିଏ ପ୍ରତିନିଧି ଦଳ ପଠାଉଥିବା ବେଳେ ଜୋର୍ ଧରିଛି ରାଜନୀତି ।
ଅଭିନେତାରୁ ନେତା ବନିଥିବା ଥାଲାପତି ବିଜୟ ଆଗାମୀ ବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏହି ରାଲି ଆୟୋଜନ କରିଥିଲେ । ତେଣୁ ତାଙ୍କୁ ଦଳାଚକଟା ପାଇଁ ଦାୟୀ କରାଯାଉଛି । କିନ୍ତୁ ବିଜୟଙ୍କ ଲୋକପ୍ରିୟତା ବଢୁଥିବା ଦେଖି କେହି ଷଡ଼ଯନ୍ତ୍ର କରି ଅଘଟଣ ଘଟାଇଥିବା ତାଙ୍କ ସମର୍ଥକ ଅଭିଯୋଗ କରିଛନ୍ତି । ତେବେ ନିରପେକ୍ଷ ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇଯିବ ବୋଲି ଟିଭିକେର ଓକିଲ କହିଛନ୍ତି ।
ସେପଟେ ଘଟଣାକୁ ନେଇ ରାଜନୀତି ବି ଜୋର୍ ଧରିଛି । ବିଜୟଙ୍କ ସହ ଫୋନରେ କଥା ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ସହ ମଧ୍ୟ କଥା ହୋଇ ଘଟଣା ବାବଦରେ ବୁଝିଛନ୍ତି । ସେପଟେ ମୃତକଙ୍କ ପରିବାର ଓ ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସମ୍ୱେଦନଶୀଳ ଘଟଣାରୁ ଫାଇଦା ଉଠାଇବା ପାଇଁ କେହି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁ ନାହାନ୍ତି ।
କରୁର ଦଳଚକଟା ଘଟଣାକୁ ନେଇ ତାମିଲନାଡୁ ସରକାରଙ୍କୁ ରିପୋର୍ଟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରାଜ୍ୟଠାରୁ କେନ୍ଦ୍ର ଏବଂ ଆଞ୍ଚଳିକ ଦଳଠାରୁ ଜାତୀୟ ଦଳଙ୍କ ପର୍ଯ୍ୟନ୍ତ ସମସ୍ତେ ତାଲନାଡୁ ଦଳଚକଟା ଘଟଣାକୁ ନେଇ ସକ୍ରିୟ ହୋଇଉଠିଛନ୍ତି ।