କନକ ବ୍ୟୁରୋ : ଚେନ୍ନାଇରେ ବସିଲା ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକ । ଅନ୍ୟ ବିରୋଧୀ ଦଳଙ୍କ ସହ ସାମିଲ ହୋଇଛି ବିଜୁ ଜନତା ଦଳ । କେନ୍ଦ୍ର ବିରୋଧୀ ଏହି ବୈଠକରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା । ଏହି ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇଛନ୍ତି । ଷ୍ଟାଲିନ୍ଙ୍କ ଅନୁରୋଧ ରକ୍ଷା କରି କେରଳ, ତେଲେଙ୍ଗାନା ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ସେହିଭଳି ଟିଏମ୍ସି, ବିଜେଡି, ୱାଇଏସ୍ଆର୍ କଂଗ୍ରେସ, ବିଆର୍ଏସ୍ର ନେତୃବୃନ୍ଦ ଯୋଗ ଦେଇଛନ୍ତି ।
ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ନେତୃମଣ୍ଡଳୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକର ନେତୃତ୍ବ ନେଉଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ୨୦୨୬ରେ ଡିଲିମିଟେସନ ହେବା ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଡିଲିମିଟେସନ ମାପଦଣ୍ଡ ସାମ୍ନାକୁ ଆସିନଥିବା ବେଳେ ଦକ୍ଷିଣ ଓ ପୂର୍ବ ଭାରତ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । କିଛି ସିଟ୍ ଚାଲିଯିବ ବୋଲି ଆଶଙ୍କା କରି ତମାମ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଡିଲିମିଟେସନ୍ ଦ୍ବାରା ଓଡ଼ିଶା ମଧ୍ୟ ପ୍ରଭାବିତ ହେବ । ତେଣୁ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ବିଜେଡି ବୈଠକରେ ଯୋଗଦେଉଥିବା ଦଳୀୟ ନେତା ଯୁକ୍ତି ବାଢିଛନ୍ତି ।