କନକ ବ୍ୟୁରୋ : ସରକାରୀ ଚାକିରି ବୟସ ସୀମା ୩୨ରୁ ୪୨ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ବିତର୍କ । ପ୍ରକୃତରେ ପରିବାରର ଚାକିରି କରିବ କିଏ ? ବାପାର ଚାକିରି ସମୟସୀମା ବଢ଼ିଲେ କଣ ହେବ ?  ଚାକିରି ସଂଖ୍ୟା ସ୍ଥିର ସହ ପୁନଃନିଯୁକ୍ତି ହେଉଥିବାରୁ ଏହା କେତେ ଫଳପ୍ରଦ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  

Advertisment

ଚାକିରି ବୟସ ସୀମା ୩୨ରୁ ୪୨କୁ ବଢ଼ିବା ନେଇ ରାଜ୍ୟ କ୍ୟାବିନେଟ୍ ମୋହର ପରେ ଏବେ ପୁଳା ପୁଳା ପ୍ରଶ୍ନ ପ୍ରତ୍ୟେକ ପରିବାର ଭିତରେ ଉଙ୍କି ମାରୁଛି । କାରଣ, ସରକାରୀ ଚାକିରିକୁ ନେଇ ରାଜ୍ୟରେ ଟଣାଓଟରା ଚାଲିଛି । ଲକ୍ଷ ଲକ୍ଷ ଆଶାୟୀ ସରକାରୀ ଚାକିରି ଅପେକ୍ଷାରେ ଅଛନ୍ତି । ବୟସ ସୀମା ବଢ଼ିବା ଖବର ଅଭିଭାବକଙ୍କ ଭିତରେ ଖୁସି ଆଣିଛି । ଯେହେତୁ ବୟସ ସୀମା ୩୨ରୁ ସିଧା ୪୨ ହୋଇଛି, ହେଲେ ପ୍ରଶ୍ନ ଉଠିଛି ପରିବାରରେ କିଏ ଚାକିରି କରିବ ? ବାପା ନା ପିଲା ?

ଓଡ଼ିଶାରେ ଚାକିରି ସୀମିତ ରହିଛି । ୪ ଲକ୍ଷ ୯୬ ହଜାର ପଦବୀ ମଧ୍ୟରୁ ଅଧିକାଂଶ ଚାକିରି ଆଉଟସୋର୍ସିଂ ଦ୍ୱାରା ପୂରଣ ହେଉଛି । ଆଉ କିଛି ଚାକିରି କନସଲ୍ଟାନ୍ସି ମାଧ୍ୟମରେ ମିଳୁଛି । ଚାକିରି ସଂଖ୍ୟା ସ୍ଥିର ଅଛି । ସରକାର ଅବସର ପରେ ପୁଣି ନିଯୁକ୍ତି ଦେଉଛନ୍ତି । ତେଣୁ ଯାହା ରହୁଛି ତାହା ପର୍ଯ୍ୟାପ୍ତ ହେଉନାହିଁ ।  ବିଧାନସଭାର ତଥ୍ୟ ଅନୁସାରେ, ରାଜ୍ୟରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶ୍ରମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକରଣ କରି ଚାକିରି  ଅପେକ୍ଷାରେ ଅଛନ୍ତି ।  ଆଶାୟୀ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ, କିନ୍ତୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତ ?