କନକ ବ୍ୟୁରୋ : ଟଙ୍କା କାରବାରକୁ ନେଇ ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ ଉଚ୍ଚବାଚ। ସ୍କୁଲ ଭିତରେ କଥା କଟାକଟି । କେହି କାହା କଥା ଶୁଣିବାକୁ ନାରାଜ । ଗାଁର କିଛି ଲୋକଙ୍କଠୁ ଟଙ୍କା ନେଇ ଫେରାଉନାହାନ୍ତି ବାଲେଶ୍ୱର ଭୋଗରାଇ ବ୍ଲକର କୁକୁଡିଆ ସ୍କୁଲ ପ୍ରଧାନଶିକ୍ଷକ। ଯାହାକୁ ନେଇ ସ୍କୁଲ କ୍ୟାମ୍ପସରେ ଏକାଠି ହୋଇଛନ୍ତି ଗାଁ ଲୋକ। ଅଭିଭାବକଙ୍କ ଅଭିଯୋଗ, ପ୍ରଧାନ ଶିକ୍ଷକ ସେମାନଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଫେରାଉ ନାହାନ୍ତି। ମାଗିବା ବେଳକୁ ଓଲଟା ଧମକ ଦେଉଛନ୍ତି। ଆଉ ପ୍ରଧାନ ଶିକ୍ଷକଙ୍କ କହିବା କଥା, ସେ ସୁଧରେ ନେଇଛନ୍ତି ଟଙ୍କା।
ଠକାମିର ଶିକାର ଅଭିଭାବକ ମାନେ ଭୋଗରାଇ ବିଇଓ ଏବଂ ଚନ୍ଦନେଶ୍ଵର ଫାଣ୍ଡିରେ ଲିଖତ ଅଭିଯୋଗ କରିଛନ୍ତି । ଶିକ୍ଷକ ଜଣକ ବିଭିନ୍ନ ପ୍ରକାର ମିଛ ସତ କହି ଗାଁର ୧୫ରୁ ଅଧିକ ଲୋକଙ୍କ ଠାରୁ ପ୍ରାୟ ୫ଲକ୍ଷ ଟଙ୍କା ନେଇ ଫେରାଉ ନାହାନ୍ତି। ଯେଉଁଥି ପାଇଁ ସ୍କୁଲ ଭିତରେ ଉଭୟଙ୍କ ଭିତରେ ବଚସା ହୋଇଛି। ପ୍ରଧାନଶିକ୍ଷକ ତୁରନ୍ତ ଟଙ୍କା ନଫେରାଇଲେ ଗାଁ ଲୋକେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ।
ଏଠି ସତ କହୁଛି କିଏ? ପ୍ରଧାନଶିକ୍ଷକ ନା ଟଙ୍କା ଦେଇଥିବା ବ୍ୟକ୍ତି। ତଦନ୍ତ ହେଲେ ପଦାକୁ ଆସିବ ସତ।
Follow Us