କନକବ୍ୟୁରୋ:  ଘଣ୍ଟା ଚୋରି ପାଇଁ ଲଙ୍କା ଧୂଆଁ । ସେ ପୁଣି  ୧୪ ବର୍ଷର ଦୁଇ ନାବାଳକଙ୍କୁ । ଦୁଇ ନାବାଳକଙ୍କୁ ଓଲଟା ଝୁଲାଇ ଲଙ୍କାଧୂଆଁ  ଦେବା ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ  ହେବାରେ ଲାଗିଛି । ଏଭଳି  ଅମାନବୀୟ  ଏବଂ ତାଲିବାନୀ ଶାସନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ପାଣ୍ଡୁରନା ଜିଲ୍ଲାରେ । 

Advertisment

ସୂଚନାମୂତାବକ, ଏଭଳି ନୃଶଂସ ଘଟଣା ଘଟଥିଲା ୩୧ ଅକ୍ଟୋବର  ଦୀପାବଳୀ ଦିନ । ମୋହଗାଁ ପୁଲିସ କହିବାନୁଯାୟୀ, ୧୪ ବର୍ଷର ଦୁଇ ପିଲା ଦହି ଟଙ୍କା ଦେବା ଲାଗି ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ ।  ସେଠାରେ ଏକ ଘଣ୍ଟା ଦେଖି  ଚୋରି କରି ସାଥିରେ ନେଇଆସିଥିଲେ । ଯେତେବେଳେ  ଦୁଇ ପିଲା ଜାଣିବାକୁ ପାଇଲେ ଯେ  ଘଣ୍ଟା ମାଲିକ  ସେମାନଙ୍କୁ ଖୋଜୁଛି ଏହାପରେ ଯେଉଁ ସ୍ଥାନରୁ ଘଣ୍ଟା  ଆଣିଥିଲେ ସେହି  ସ୍ଥାନରେ ରଖି ଦେଇ ଆସିଲେ  । କିନ୍ତୁ ଫେରିବା ସମୟରେ  ଘଣ୍ଟା ମାଲିକ ନଜରରେ ପଡିଗଲେ ଏହି ଦୁଇ ଜଣ । 

ଘଣ୍ଟା ମାଲିକ ସେମାନଙ୍କୁ କିଛି ନ କହି ବୁଝାଇ ଛାଡିଦେଲେ । କିନ୍ତୁ ସେଠାରେ ଉପସ୍ଥିତ ଅନ୍ୟ ଦୁଇ ଜଣ  ଏହି ଦୁଇ ପିଲାଙ୍କୁ  ଟ୍ରାକ୍ଟର ଗ୍ୟାରେଜକୁ ଉଠାଇନେଇ   ଚୋରି ବିଷୟରେ  ପଚରାଉଚରା କରିବା ଆରମ୍ଭ କରିଦେଲେ ।  ଏହାପରେ ତାଙ୍କୁ  ମାରିବା ସହ ଓଲଟା ଝୁଲାଇ ଲଙ୍କା ଧୂଆଁ  ଦେଇଥିଲେ । ଅଭିଯୁକ୍ତ ସୁରେନ୍ଦ୍ର ବାବନକର ପୁରା ଘଟଣାର ଭିଡିଓ କରିଥିଲା । ଯାହାକୁ ଅନ୍ୟ ଏକ ବ୍ୟକ୍ତିଙ୍କ ହ୍ୱାଟ୍ସଆପକୁ ପଠାଇଥିଲା  । ପରେ ଏହା ଭାଇରାଲ ହୋଇଥିଲା । ଯାହାଦ୍ୱାରା ଦୁଇ ପିଲାଙ୍କ ବାପା ଏ ଘଟଣା ବଷୟରେ  ଜାଣିବାକୁ ପାଇଥିଲେ । ଏହାପରେ ପିଲାଙ୍କୁ ସାଥିରେ ନେଇ ଥାନାରେ ଏଫଆଇଆର ଦେଇଥିଲେ । ତେବେ ଏହି ଘଟଣାରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି ।