କନକ ବ୍ୟୁରୋ : ଜଣେ ପ୍ରତିଭାବାନ ଖେଳାଳି ଯିଏ କି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି, ଆଜି ସେ ପରଘରେ ପାଇଟି କରି ପେଟ ପୋଷୁଛନ୍ତି । ଆମେ କହୁଛୁ ସମ୍ୱଲପୁରର ଫୁଟବଲ ଖେଳାଳି ସୁଭାସିନୀଙ୍କ କଥା । ବିଡମ୍ୱନାର କଥା ସରକାରଙ୍କ ନଜର ତାଙ୍କ ଉପରେ ପଡ଼ିନାହିଁ, ଏତେ ବଡ଼ ପ୍ରତିଭାକୁ ଏମିତି ଅଣଦେଖା କେମିତି କରାଯାଇପାରେ । ଆଜି ଆମେ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛୁ । ହେଲେ ଦୁଃଖର କଥା ଆମ ରାଜ୍ୟରେ ପ୍ରତିଭାବାନ ଖେଳାଳି ଆଜି ବି ଅଣଦେଖା । ପଡ଼ିଆରେ ନୁହେଁ ଅନ୍ୟ ଘରେ ପାଇଟି କରି ନିଜ ପେଟ ପୋଷୁଛନ୍ତି । କାରଣ ପୂରା ପରିବାର ତାଙ୍କ ଉପରେ ନିର୍ଭରଶୀଳ । 
ଏତେ ବଡ ଖେଳାଳିକୁ କେମିତି ସମ୍ମାନ ଓ ସ୍ୱୀକୃତିଟିଏ ସରକାର ଦେଇନାହାନ୍ତି । ଆମ ବ୍ୟବସ୍ଥା, ଆମ ସରକାର, ଆମ ପ୍ରଶାସନ, ଆମ ସମାଜ, ଆମ ଦୁନିଆଁ କେତେ ସମ୍ୱେଦନହୀନ । ଏଠି ପ୍ରଶ୍ନ ଉଠୁଛି କାହିଁକି ଦୃଷ୍ଟି ଆଢ଼ୁଆଳରେ ପ୍ରତିଭାବାନ ଖେଳାଳି ?  

Advertisment

ପଡ଼ିଆରେ ସୁବାସିନୀ ଜଣେ ପ୍ରତିଭାବାନ ଖେଳାଳି । ୨୦୦୪ରୁ ୨୦୦୯ ମଧ୍ୟରେ ଜାତୀୟ ସ୍ତରରେ ଓଡିଶାକୁ ୪ ଥର ପ୍ରତିନିଧିତ୍ବ କରିଛନ୍ତି । ସବ୍‌ଜୁନିୟର, ଜୁନିଅର ବିଭାଗରେ ଖେଳିବା, ୩ଥର ରନରସପ୍‌, ଥରେ ଚାମ୍ପିଅନ ଓଡିଶା ଟିମର ସଦସ୍ୟ ହେବା କ’ଣ କମ କଥା ନା କ’ଣ । ସେହି ଭଳି ଜଣେ ଖେଳାଳିକୁ କେମିତି ଆମେ ଅବ୍ୟବସ୍ଥା ଭିତରକୁ ଠେଲିଦେବା ? ଯେଉଁଠି ସେ ବାସନ ମାଜିବ, ପରେ ଘରେ ପାଇଟି କରିବ। ଯଦି ଆମ ରାଜ୍ୟରେ ଖେଳାଳିର ଅବସ୍ଥା ଏଇଆ ତେବେ ଆଗକୁ ଖେଳାଳି ବାହାରିବେ ତ ? ଫୁଟବଲ ପାଇଁ ମନ ବଳାଇବେ ତ?  

ଆଜି ଓ ବିଗତ ଦିନରେ ଅନେକ ବଡ ବଡ ନେତା ଏହି ସମ୍ବଲପୁର ଅଞ୍ଚଳରୁ ଆସିଛନ୍ତି । ହେଲେ କାହାର କେମିତି ନଜର ପଡିଲାନି ସୁବାଷିନୀଙ୍କ ଉପରେ । ଏହା ଜଣେ ପ୍ରତିଭାବାନ ଖେଳାଳିଙ୍କ ଦୁର୍ଭାଗ୍ୟ ନା ଆମ ବ୍ୟବସ୍ଥାରେ ଥିବା ଲୋକଙ୍କ ସମ୍ୱେଦନହୀନତା । ଆଶା କରିବୁ ଏ ଖବର ଆସିବା  ପରେ, ସରକାରଙ୍କ ନଜର ସୁବାସିନୀଙ୍କ ଉପରେ ପଡ଼ିବ ।