କନକ ବ୍ୟୁରୋ : ଯାଜପୁରରେ ଅତ୍ୟାଧୁନିକ ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହୋଇଛି । କେବଳ ଯାଜପୁର ନୁହେଁ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ବହୁ ଖେଳାଳି ଉପକୃତ ହେବେ । କହିବାକୁ ଗଲେ ଯାଜପୁର ସଫଳ କ୍ରିଡାବିତ୍ ଗଢ଼ିବା ପକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଓ କ୍ରୀଡାବିଭାଗର ଉଦ୍ୟମ ପାଇଁ ଯାଜପୁର ସହରରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ହକି ପ୍ରଶିକ୍ଷଣ କେନ୍ଦ୍ର । ଏଠାରେ ବହୁ ସଂଖ୍ୟାରେ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଦଶରଥପୁରର କସ୍ତୁରବା ବାଳିକା ବିଦ୍ୟାଳୟର ୩୦ରୁ ଅଧିକ ଓ ଦାନଗଦି ବ୍ଲକ ରମ୍ପୋଳ ଠାରେ ଥିବା ଏକଲବ୍ୟ ବାଳକ ବିଦ୍ୟାଳୟର ୪୦ ପିଲା ଏଠାରେ ପ୍ରଶିକ୍ଷଣ ନେଉଛନ୍ତି ।
ଯାଜପୁରର ଏହି ହକି ପ୍ରଶିକ୍ଷଣ କେନ୍ଦ୍ର ପୂର୍ବ-ଉପକୂଳ ଓଡିଶାରେ ପ୍ରଥମ। କଳିଙ୍ଗ ଷ୍ଟାଡିୟମ ପରି ଏଠାରେ ସିନ୍ଥେଟିକ୍ ଟ୍ରାକ୍ କରାଯାଇଛି । ଏଥିପାଇଁ ଜଣେ ହକି ପ୍ରଶିକ୍ଷକଙ୍କୁ ସରକାରଙ୍କ ପକ୍ଷରୁ ନିଯୁକ୍ତି କରାଯାଇଛି । ଏଥିସହିତ ନାଭାଲ୍ ଟାଟା ହକି ଏକାଡେମୀ ପକ୍ଷରୁ ୨ ଜଣ ପ୍ରଶିକ୍ଷକଙ୍କୁ ଯାଜପୁରରେ ନିଯୁକ୍ତି ଦିଆଯାଇଛି ।
ହକି ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ହକି ପ୍ରଶିକ୍ଷଣ କେନ୍ଦ୍ରରେ ସମର କ୍ୟାମ୍ପ, ବନ୍ଧୁତ୍ବ ମ୍ୟାଚ ଆୟୋଜନ କରାଯାଉଛି । ତେବେ ହକିର ପ୍ରସାର ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ, କ୍ରୀଡା ବିଭାଗର ଉଦ୍ୟମ ପ୍ରଶଂସନୀୟ ।