କନକ ବ୍ୟୁରୋ :ସମୁଦ୍ର ଜୁଆର ମାଡ଼ରେ ଅସହାୟ ହୋଇ ପଡ଼ିଛି ଭୋଗରାଇର ତାଳସାରୀ ଜେଟି । ୨୨ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ଜେଟି ମରାମତି ନ ହେବାରୁ ଆଜି ଭଗ୍ନ ଅବସ୍ଥାରେ ପଡ଼ିଛି । ସରକାର ପରେ ସରକାର ବଦଳୁଛି ହେଲେ ମତ୍ସ୍ୟଜୀବୀ ଓ ବ୍ୟବସାୟଙ୍କ ପେଣ୍ଠସ୍ଥଳୀ ତାଳସାରୀ ଜେଟିରେ ସ୍ଥିତି ବଦଳିପାରୁନି । ଯାହା ଲୋକଙ୍କ ଅସନ୍ତୋଷ କାରଣ ପାଲଟିଛି ।
ତତ୍କାଳୀନ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଉଦଘାଟିତ ହୋଇଥିଲା ତାଳସାରୀର ମତ୍ସ୍ୟ ଅବତରଣ କେନ୍ଦ୍ର । ପ୍ରାୟ ୧ କୋଟି ୬୭ ଲକ୍ଷ ୪୨ ହଜାର ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଜେଟିକୁ ନେଇ ଖୁସିରେ ଆତ୍ମହରା ହୋଇଥିଲେ ମତ୍ସ୍ୟଜୀବୀ । ସେଦିନ ଆଉ ଆଜି ଭିତରେ ଆକାଶ ପାତାଳ ଫରକ । ସମୁଦ୍ରର ଉଚ୍ଚ ଜୁଆର, ବାତ୍ୟା ଓ ଲଘୁଚାପ ପାଇଁ ଆଜି ଭଗ୍ନ ଅବସ୍ଥାରେ । ଜେଟିର ତଳ ପଟେ ପାଣି ପଶି ଭିତର ଫମ୍ଫା ହୋଇଗଲାଣି । ଶୌଚାଳୟ ଓ ଦୋକାନ ତଳୁ ମାଟି ବି ଧୋଇ ଗଲାଣି । କେତେବେଳେ ଯେ ଭୁଶୁଡି ପଡ଼ିବ ତାହା ବି କହିହେଉନି ।
ନିର୍ମାଣର ୨୨ ବର୍ଷ ଭିତରେ ରକ୍ଷଣାବେକ୍ଷଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ମରାମତି ନାଁରେ ଛାତ ଓ କାନ୍ଥରେ ସିମେଣ୍ଟ ଲିପି, ସାମ୍ନାରେ କିଛି ପଥର ରଖି କାମ ସାରିଦେଇଛି ପ୍ରଶାସନ । ତୁରନ୍ତ କିଛି ଅଘଟଣ ଘଟିବା ପୂର୍ବରୁ ଜେଟିର ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି । ଜେଟି ନିର୍ମାଣ ପରେ ବେପାର ବଢ଼ିଲା, ଅନେକ ବେକାରି ରୋଜଗାରର ସୁଯୋଗ ପାଇଲେ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ନୂଆ ବିକଳ୍ପ ସୃଷ୍ଟି ହୋଇଥିଲା । ହେଲେ ବର୍ତ୍ତମାନର ଅବସ୍ଥା ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ପାଇଁ ବିପଦ ପାଲଟିଯାଇଛି ।