କନକ ବ୍ୟୁରୋ: ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏକ ଆଲୋଡ଼ା ଅଧ୍ୟାୟ ଦେଖିବାକୁ ମିଳିଛି । ବାଂଲାଦେଶ ରୂପରେ ପ୍ରଥମ ଥର ଏକ ଦଳ ସଂପୂର୍ଣ୍ଣ ପ୍ରତିଯୋଗିତାରୁ ବହିଷ୍କୃତ ହୋଇଛି କିମ୍ବା ଓହରି ଯାଇଛି । ତେବେ କ୍ରିକେଟ୍ ବିଶ୍ବକପ୍ରେ ଅତୀତରେ ମଧ୍ୟ ଅନେକ ବିବାଦୀୟ ଘଟଣା ଘଟିଛି । ବିଶେଷ କରି ୫୦ ଓଭରିଆ ବିଶ୍ବକପ୍ରେ ଏକାଧିକ ନାଟକୀୟ ତଥା ବିତର୍କିତ ପରିସ୍ଥିତି ସୃଷ୍ଟି ହୋଇସାରିଛି । କେତେବେଳେ ଅଂଶଗ୍ରହଣକାରୀ ଦଳ ଆୟୋଜକ ରାଷ୍ଟ୍ରକୁ ଯାତ୍ରା କରିବାକୁ ମନା କରି ଦେଇଛନ୍ତି ତ ଆଉ କେତେବେଳେ ବିଭିନ୍ନ କାରଣକୁ ଆଳ କରି କିଛି ନିର୍ଦ୍ଦିଷ୍ଟ ମୁକାବିଲାରୁ ଓହରି ଯାଇଛନ୍ତି । ୨୦୦୭ ବିଶ୍ବକପ୍ ବେଳେ ପାକିସ୍ତାନର ପ୍ରଶିକ୍ଷକ ବବ୍ ଉଲମର୍ଙ୍କ ରହସ୍ୟଜନକ ମୃତ୍ୟୁଠାରୁ ୨୦୦୩ ବିଶ୍ବକପ୍ରୁ ଦିବଂଗତ ଅଷ୍ଟ୍ରେଲୀୟ ସ୍ପିନର ସେନ୍ ୱର୍ଣ୍ଣ ବିଦା ହେବା, ୧୯୯୬ କ୍ରିକେଟ୍ ବିଶ୍ବକପ୍ ସେମିଫାଇନାଲ୍ରେ ଦର୍ଶକଙ୍କ ଉଗ୍ର ରୂପ କ୍ରିକେଟ୍ର ଏହି ମହାକୁମ୍ଭକୁ ବିବାଦୀୟ କରିଛି । ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ନେଇ ଏଥରର ଟଣାଓଟରା କିନ୍ତୁ ସବୁ ସୀମା ଟପି ଯାଇଛି । ଅତୀତର ସେହି ବିଶ୍ବକପ୍ ବିବାଦ ଉପରେ ଆସନ୍ତୁ ନଜର ପକାଇବା ।
ଶ୍ରୀଲଙ୍କା ଗଲେନି ଅଷ୍ଟ୍ରେଲିଆ, ଇଣ୍ଡିଜ୍: ୧୯୯୬ ମସିହାର ବିଶ୍ବକପ୍କୁ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲେ । ହେଲେ କଲମ୍ବୋରେ ବୋମା ବିସ୍ଫୋରଣ ପରେ ସୁରକ୍ଷା କାରଣ ଦର୍ଶାଇ ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିଲେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ । ଉଭୟ ମ୍ୟାଚ୍ରେ ଶ୍ରୀଲଙ୍କାକୁ ବିଜୟୀ ଘୋଷଣା କରାଯାଇଥିଲା ।
ଜିମ୍ବାୱେ, କେନିଆ ମ୍ୟାଚ୍କୁ ବର୍ଜନ: ୨୦୦୩ ବିଶ୍ବକପ୍ରେ ହରାରେରେ ଜିମ୍ବାୱେ, ନାଇରୋବିରେ କେନିଆ ବିପକ୍ଷ ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଫଳରେ ଉଭୟ ମ୍ୟାଚ୍ର ଘରୋଇ ଦଳ ଜିମ୍ବାୱେ ଏବଂ କେନିଆ ୱାକ୍ଓଭର ପାଇଥିଲେ । ଜିମ୍ବାୱେର ରବର୍ଟ ମୁଗାବେ ସରକାରଙ୍କୁ ବିରୋଧ କରି ସେହି ଦେଶର ଦୁଇ କ୍ରିକେଟର୍ ଆଣ୍ଡି ଫ୍ଲାୱାର ଓ ହେନରି ଓଲଙ୍ଗା ନିଜନିଜ ବାହୁରେ କଳା ପଟି ପିନ୍ଧି ଖେଳିବା ବେଶ୍ ବିବାଦୀୟ ହୋଇଥିଲା । ଏହି ବିଶ୍ବକପ୍ରେ ମଧ୍ୟ ଅଷ୍ଟ୍ରେଲିଆର କିବଂଦନ୍ତି ସ୍ପିନର ସେନ୍ ୱର୍ଣ୍ଣ ନିଶା ସେବନ କରି ଧରାପଡ଼ିଥିଲେ । ଫଳରେ ପ୍ରତିଯୋଗିତାରୁ ଓହରିବାକୁ ବାଧ୍ୟ ହୋଇଥିଲେ ।
ଉଲ୍ମର୍ଙ୍କ ରହସ୍ୟଜନକ ମୃତ୍ୟୁ: ୱେଷ୍ଟଇଣ୍ଡିଜ୍ରେ ଖେଳାଯାଇଥିବା ୨୦୦୭ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ରେ ଆୟର୍ଲାଣ୍ଡ୍ଠାରୁ ଅପ୍ରତ୍ୟାଶିତ ଭାବେ ହାରି ପାକିସ୍ତାନ ବିଦାୟ ନେବାର କିଛି ଘଣ୍ଟା ପରେ ବଡ଼ ଅଘଟଣ ଘଟିଥିଲା । ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ବବ୍ ଉଲ୍ମର୍ଙ୍କ ନିର୍ଜୀବ ଶରୀର ଜାମାଇକାର ହୋଟେଲ୍ ରୁମ୍ରୁ ଉଦ୍ଧାର ହୋଇଥିଲା । ଜାମାଇକା ପୁଲିସ ଏହି ମାମଲାରେ ବେଶ୍ କିଛି ଦିନ ତଦନ୍ତ କରିଥିଲା । ବହୁଦିନ ପରେ ଉଲମର୍ଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ଦର୍ଶାଇ ମାମଲାକୁ ବନ୍ଦ କରି ଦେଇଥିଲା ।
ଦର୍ଶକଙ୍କ ବୋତଲ ମାଡ଼: ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୧୯୯୬ ମସିହା ବିଶ୍ବକପ୍ର ଭାରତ-ଶ୍ରୀଲଙ୍କା ସେମିଫାଇନାଲ୍ରେ ଭାରତ ପରାଜୟ ଦ୍ବାରଦେଶରେ ପହଞ୍ଚିବା ପରେ ଦର୍ଶକଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା । ଗ୍ୟାଲେରିରେ ନିଆଁ ଲଗାଇବା ସହ ପଡ଼ିଆ ଭିତରକୁ ସେମାନେ ବୋତଲ ମାଡ଼ କରିଥିଲେ । ଏଥିଲାଗି ୨୦ ମିନିଟ୍ ଧରି ଖେଳ ବନ୍ଦ ରହିଥିଲା । ଖେଳାଳିମାନେ ଡ୍ରେସିଂ ରୁମ୍କୁ ଚାଲି ଯାଇଥିଲେ । ସେମାନେ ଫେରିବା ପରେ ଅଧିକରୁ ଅଧିକ ବୋତଲ ମାଡ଼ ହୋଇଥିଲା । ଫଳରେ ମ୍ୟାଚ୍ ରେଫରି କ୍ଲାଇବ୍ ଲୟଡ୍ ଶେଷରେ ଶ୍ରୀଲଙ୍କାକୁ ବିଜୟୀ ଘୋଷଣା କରିଥିଲେ । ଭାରତୀୟ ବ୍ୟାଟର୍ ବିନୋଦ କାମ୍ବଲି କାନ୍ଦିକାନ୍ଦି ପ୍ୟାଭିଲିୟନ ଫେରୁଥିବାର ଦୃଶ୍ୟ ଢେର୍ କିଛି ଦିନ ପର୍ଯ୍ୟନ୍ତ କ୍ରିକେଟ୍ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଥିଲା ।
ଦକ୍ଷିଣ ଆଫ୍ରିକାକୁ କାଳ ହେଲା ଡକୱର୍ଥ/ ଲୁଇସ୍: ୧୯୯୨ରେ ଡକୱର୍ଥ/ ଲୁଇସ୍ ନିୟମକୁ ନେଇ ବଡ଼ ବିବାଦ ଦେଖା ଦେଇଥିଲା । ୨୨ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିବା ଦକ୍ଷିଣ ଆଫ୍ରିକା ସିଡ୍ନିରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ରେ ଦୃଢ଼ ସ୍ଥିତିରେ ଥିଲା । ବିଜୟ ପାଇଁ ୧୬ ବଲ୍ରୁ ମାତ୍ର ୨୨ ରନ୍ ଦରକାର କରୁଥିଲା । ଏତିକି ବେଳେ ବର୍ଷା ହୋଇଥିଲା । ପୁଣି ଥରେ ଖେଳ ଆରମ୍ଭ ହେବା ବେଳକୁ ଏହି ଦଳକୁ ଗୋଟିଏ ବଲ୍ରୁ ୨୨ ରନ୍ର ଅସମ୍ଭବ ଲକ୍ଷ୍ୟ ମିଳିଥିଲା । ୨୦୦୩ ମସିହାରେ ମଧ୍ୟ ଏହି ନିୟମ ଯୋଗୁ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ରୁ ସଅଳ ବିଦାୟ ନେଇଥିଲା ।
ବାଉଣ୍ଡରି କାଉଣ୍ଟ୍ରେ ବିଜେତା ନିର୍ଣ୍ଣୟ: ଘରୋଇ ପରିବେଶରେ ଖେଳିଥିବା ୨୦୧୯ ଏକଦିବସୀୟ ବିଶ୍ବକପ୍ରେ ଇଂଲଣ୍ଡ ବିବାଦୀୟ ଢଙ୍ଗରେ ପ୍ରଥମ ଥର ପାଇଁ ବିଜେତା ହୋଇଥିଲା । ଫାଇନାଲ୍ ମ୍ୟାଚ୍ ଓ ସୁପର ଓଭର ଟାଇ ରହିବା ପରେ ବାଉଣ୍ଡରି କାଉଣ୍ଟ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଯାଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଉଭୟ ଦଳ ୨୪୧ ରନ୍ ଲେଖାଏଁ କରିବା ସହ ସୁପର ଓଭରରେ ପ୍ରତ୍ୟେକ ୧୫ ରନ୍ କରିଥିଲେ । ମ୍ୟାଚ୍ର ୫୦ତମ ଓଭରରେ ବେନ ଷ୍ଟୋକ୍ସଙ୍କ ବ୍ୟାଟ୍ରେ ବଲ୍ ବାଜି ୪ ଓଭର ଥ୍ରୋ ରନ୍ ଇଂଲଣ୍ଡକୁ ମିଳିବା ବିବାଦୀୟ ହୋଇଥିଲା । ପ୍ରତିଯୋଗିତାରେ ତିନିଟି ମ୍ୟାଚ୍ ହାରି ବିଜେତା ହେବାରେ ପାକିସ୍ତାନ ପରେ ଇଂଲଣ୍ଡ ବିଶ୍ବର ଦ୍ବିତୀୟ ଦଳ ହୋଇଥିଲା ।
Follow Us