କନକବ୍ୟୁରୋ : ପଣା ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷତ୍ରରେ ଆଡମ୍ବର ସହକାରେ ପାଳନ କରାଯାଉଛି ହନୁମାନଙ୍କ ଜନ୍ମୋତ୍ସବ । ଶ୍ରୀମନ୍ଦିର ସମେତ ସହରର ସବୁ ହନୁମାନ ମନ୍ଦିରରେ ବଜରଙ୍ଗବାଲି ଙ୍କ ପୁଜାର୍ଚନା ଚାଲିଥିବା ବେଳେ ପୁରୀ ଶିରୁଳି ମହାବୀରଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା । ହଜାର ହଜାର ଭକ୍ତଙ୍କ ଏଠି ଭିଡ଼ ଲାଗି ରହିଛି ।
ଶିରୁଳି ମହାବୀର ଭୋର ତିନି ଟାରୁ ଦ୍ୱାର ଫିଟିବା ପରେ ଆନାନ୍ୟ ନୀତି ବଢି ଚାଲିଛି ଦର୍ଶନ। ଏଥିସହ ଆଜିର ଦିନରେ ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ପାଳିତ ହେଉଛି ଝାମୁ ଯାତ୍ରା । ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ ଆଜି ସକାଳୁ ମା ଙ୍କର ଦେଵନୀତି ସମ୍ପନ୍ନ ହେବା ସହ ଦିନ ୧୨ ଟା ବେଳେ ମାଙ୍କୁ ଏକ ସୁସଜ୍ଜିତ ବିମାନରେ ନଣ୍ଡା ଦେଉଳ ନିକଟସ୍ଥ ଚରକି ପଡିଆକୁ ନିଆଯିବ । ସେଠାରେ ମୀନ ସଂକ୍ରାନ୍ତି ଠାରୁ ଗାଁ ଗାଁ ବୁଲି ମା ଙ୍କର ମହିମା ପ୍ରଚାର କରୁଥିବା ଘଟ ସେବକ ମାନେ ଆଜି ବ୍ରତ ଶେଷ କରି ମା ଙ୍କ ଆଗରେ ନିଆଁ ରେ ଚାଲି ଅଗ୍ନି ପରୀକ୍ଷା ଦେବେ ।
ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି ।
ସେପଟେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାମନଗର ସ୍ଥିତ ଦରିଆପାରି ମା ରାମଚଣ୍ଡିଙ୍କ ପୀଠରେ ଝାମୁଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳୁ ସକାଳୁ ମାଙ୍କର ବିଭିନ୍ନ ନୀତିକାନ୍ତିରେ ପୂଜାର୍ଚ୍ଚନା ପରେ ମା ଏକ ବିମାନରେ ବିରାଜମାନ କରିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ହଜାର ହଜାର ଭକ୍ତଙ୍କ ସମାଗମରେ ମାଙ୍କୁ ସାତଥର ମନ୍ଦିର ଚାରିପଟେ ପରିକ୍ରମା କରିଥାନ୍ତି ।
ମାନସିକ ଧାରୀ ପାଟୁଆ ମାନେ ଅଗ୍ନିରେ ଚାଲିବାର ପରମ୍ପରା ରହିଛି । ମାନସିକ ଧାରୀ ପାଟୁଆ ମାନେ ନିଆଁରେ ଚାଲିଥାନ୍ତି । ଏହି ନିଆରା ଦୃଶ୍ୟ ଦେଖିବାପାଇଁ ହଜାର ଭକ୍ତଙ୍କର ସମାଗମ ହୋଇଥାଏ । ଏହି ଅବସରରେ ମା ରାମଚଣ୍ଡିଙ୍କ ପୀଠରେ ଆଜିଠାରୁ ସାତଦିନ ଧରି ଝାମୁଯାତ୍ରା ଅନୁଷ୍ଠିତ ହେବ । ଏହି ସମୟରେ ପୀଠରେ ଦୋକାନ ବଜାର ପଡିବା ସହିତ ମିନାବଜାରର ମଧ୍ୟ ବସିଥାଏ । ସ୍ଥାନୀୟ ଲୋକମାନଙ୍କର ଘରେ ଘରେ ବନ୍ଧୁବାନ୍ଧବଙ୍କର ଭିଡ ଲାଗିଥାଏ । ମାଙ୍କର ଦର୍ଶନ ପାଇଁ ଜନପ୍ରତିନିଧି ମାନେ ପହଁଚିଥାନ୍ତି ।