କନକ ବ୍ୟୁରୋ :  ଆଜି ହେଉଛି ପ୍ରଜ୍ଞା ପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ । ଏହି ଦିନକୁ  ସାରା ଦେଶ ରାଷ୍ଟ୍ରୀୟ  ଯୁବ ଦିବସ ଭାବେ ପାଳନ କରୁଛି । ବିବେକାନନ୍ଦ ଥିଲେ ଯୁବକମାନଙ୍କ ସବୁଠୁ ବଡ ଆଇକନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ବାମୀ ବିବେକାନନ୍ଦଙ୍କ ବିଚାରଧାରାରେ ପ୍ରେରିତ ।  ବିବେକାନନ୍ଦ ଜଣେ  ଏପରି  ମହାନ ସନ୍ଥ, ଦାର୍ଶନିକ ଏବଂ ସମାଜ ସଂସ୍କାରକ ଥିଲେ ଯିଏ ବିଶ୍ୱ ସ୍ତରରେ ଭାରତକୁ ଏକ ନୂତନ ପରିଚୟ ଦେଇଥିଲେ । 

Advertisment

୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ପଶ୍ଚିମବଂଗର କୋଲକତାରେ ଜନ୍ମ ଗ୍ରହଣ କରିଥିଲେ  ସ୍ବାମୀ ବିବେକାନନ୍ଦ । ତାଙ୍କର ପିଲା ଦିନର ନାମ ଥିଲା  ନରେନ୍ଦ୍ରନାଥ ଦତ୍ତ । ନରେନ୍ଦ୍ରନାଥ ଦତ୍ତ ରୁ ସ୍ବାମୀ ବିବେକାନନ୍ଦ ହେବା ପାଇଁ  ଯାତ୍ରା ବହୁତ ଆକର୍ଷଣୀୟ ଥିଲା । ବିବେକାନନ୍ଦଙ୍କ ଏହି ଯାତ୍ରାରେ ରାମକୃଷ୍ଣ ପରମହଂସଙ୍କ  ଖାସ୍‌ ଯୋଗଦାନ ଥିଲା । ୧୮୯୩ ଚିକାଗୋ ଧର୍ମ ସମ୍ମିଳନୀରେ ତାଙ୍କର ଉଦବୋଧନ ଏବେ ବି ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିବା ନରେନ୍ଦ୍ର ପିଲାଦିନରୁ ଧ୍ୟାନ ଅଭ୍ୟାସ କରୁଥିଲେ । ଭାରତୀୟ ଦର୍ଶନ ଓ ବେଦାନ୍ତଙ୍କୁ ବିଶ୍ୱରେ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ଯୁବକମାନଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ରହିଥିଲା । ଯୁବକମାନେ ତାଙ୍କର କର୍ମନିଷ୍ଠା, ତ୍ୟାଗ ଓ ଆଧ୍ୟାତ୍ମିକତା ଦ୍ୱାରା ଦେଶରେ ବିରାଟ ପରିବର୍ତ୍ତନ ଆଣିପାରିବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହୁଥିଲା । ଯୋଗ ଓ ଧ୍ୟାନ ଦ୍ୱାରା ଦୁର୍ବଳ ମାନସିକତାକୁ ପରିବର୍ତ୍ତନ କରାଯାଇପାରିବ ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ । ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେରେ ରାଷ୍ଟ୍ରୀୟ ଯୁବ ଦିବସ  ପାଳନ କରାଯାଉଛି । ଏହି ଦିବସ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ସକାଳ ୧୦ ଟାରେ  ଭାରତ ମଣ୍ଡପମ୍‌ ବିକଶିତ ଭାରତ  ୟଙ୍ଗ ଲିଡର୍ସ ଡାଇଲଗ ୨୦୨୫ରେ ଯୋଗ ଦେବେ ।  ଏହି ସମୟରେ  ମୋଦୀ  ଭାରତର  ତିନି ହଜାର  ଯବ ନେତାଙ୍କ ସହ  ଆଲୋଚନା କରିବେ ।