କନକ ବ୍ୟୁରୋ: ସେଥିଲେ ଭାରତର ଆଦର୍ଶ, ଯୁବପିଢ଼ିଙ୍କ ପ୍ରେରଣା । ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ସମଗ୍ର ଭାରତରେ 'ଜାତୀୟ ଯୁବ ଦିବସ' ଭାବରେ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଏ । ଏହି ଦିନଟି ହେଉଛି ଭାରତର ମହାନ ଦାର୍ଶନିକ, ସନ୍ନ୍ୟାସୀ ତଥା ଯୁବ ପ୍ରତିକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ । ୧୯୮୪ ମସିହାରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବେ ଘୋଷଣା କରିଥିଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିବେକାନନ୍ଦଙ୍କ ଆଦର୍ଶରେ ଦେଶର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା । ସ୍ୱାମୀ ବିବେକାନନ୍ଦ ଜଣେ ମହାନ ଦାର୍ଶନିକ, ଯୁଗପୁରୁଷ ଏବଂ ଆଧ୍ୟାତ୍ମିକ ଗୁରୁ ଥିଲେ । ଶିକାଗୋ ଧର୍ମ ସମ୍ମିଳନୀରେ ତାଙ୍କର ଐତିହାସିକ ଭାଷଣ ସମଗ୍ର ବିଶ୍ୱରେ ଭାରତର ଗୌରବ ବଢ଼ାଇଥିଲା। ତାଙ୍କର ଆଦର୍ଶ ଏବଂ ଅମୂଲ୍ୟ ବାଣୀ ଆଜି ବି କୋଟି କୋଟି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ।
ସ୍ୱାମୀ ବିବେକାନନ୍ଦ କେବଳ ଜଣେ ଧର୍ମଗୁରୁ ନଥିଲେ, ସେ ଥିଲେ ଆଧୁନିକ ଭାରତର ଜଣେ ବଡ଼ ସ୍ୱପ୍ନଦ୍ରଷ୍ଟା । ୧୮୯୩ ମସିହାରେ ଚିକାଗୋ ଧର୍ମ ସମ୍ମିଳନୀରେ ସେ ନିଜର ଓଜସ୍ୱିନୀ ଭାଷଣ ମାଧ୍ୟମରେ ବିଶ୍ୱ ଦରବାରରେ ଭାରତୀୟ ସଂସ୍କୃତି ଓ ଅଧ୍ୟାତ୍ମିକତାର ଜୟଗାନ କରିଥିଲେ । ତାଙ୍କର ସେହି ସମ୍ବୋଧନ "ଆମେରିକାର ଭାଇ ଓ ଭଉଣୀମାନେ" ଆଜି ବି ସମଗ୍ର ବିଶ୍ୱରେ ଭ୍ରାତୃଭାବର ପ୍ରତୀକ ହୋଇ ରହିଛି ।
ଆହୁରି ପଢ଼ନ୍ତୁ... "ଶୀଘ୍ର" ପୋଷ୍ଟକୁ ନେଇ ହଲଚଲ: ଟ୍ରମ୍ପ ଇରାନ ଉପରେ ଆକ୍ରମଣର ସଙ୍କେତ ଦେଇଥିବା ନେଇ ଚର୍ଚ୍ଚା
ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ଯୁବକମାନେ ହିଁ ଦେଶର ଭବିଷ୍ୟତ ଏବଂ ପ୍ରକୃତ ଶକ୍ତି । ତାଙ୍କର ପ୍ରସିଦ୍ଧ ବାଣୀ "ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ" ଆଜିର ଯୁବପିଢ଼ି ପାଇଁ ଏକ ମନ୍ତ୍ର ସଦୃଶ। ସେ ଚାହୁଥିଲେ ଯେ ଯୁବକମାନେ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଦୃଢ଼ ଏବଂ ନୈତିକ ଭାବେ ଚରିତ୍ରବାନ ହୁଅନ୍ତୁ । ସେ କହୁଥିଲେ, "ମାଂସପେଶୀ ଲୁହା ଭଳି ଶକ୍ତ ଏବଂ ସ୍ନାୟୁ ଇସ୍ପାତ ଭଳି ଦୃଢ଼ ହେବା ଉଚିତ ।"
ଆଜିର ଡିଜିଟାଲ ଯୁଗରେ, ଯେଉଁଠି ଯୁବପିଢ଼ି ଅନେକ ସମୟରେ ମାନସିକ ଅବସାଦ ଏବଂ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରୁଛନ୍ତି, ସେଠାରେ ବିବେକାନନ୍ଦଙ୍କ ଚିନ୍ତାଧାରା ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି । ସେ ଆତ୍ମବିଶ୍ୱାସ ଉପରେ ଗୁରୁତ୍ୱ ଦେଉଥିଲେ । ତାଙ୍କ ମତରେ, ଯିଏ ନିଜ ଉପରେ ବିଶ୍ୱାସ କରେ ନାହିଁ, ସେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିପାରିବ ନାହିଁ ।
ଜାତୀୟ ଯୁବ ଦିବସ ପାଳନର ପ୍ରକୃତ ସାର୍ଥକତା ସେତିକିବେଳେ ହେବ, ଯେତେବେଳେ ଆମେ ତାଙ୍କର ସେବା ଓ ତ୍ୟାଗର ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳିତ କରିବା । ଦେଶର ପ୍ରଗତି ପାଇଁ ଯୁବଶକ୍ତିର ସଠିକ ବିନିଯୋଗ ଏବଂ ସେମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ । ସ୍ୱାମୀଜୀଙ୍କ ସ୍ୱପ୍ନର ସମୃଦ୍ଧ ଭାରତ ଗଠନ ପାଇଁ ଆଜିର ଯୁବପିଢ଼ିଙ୍କୁ ତାଙ୍କ ଦର୍ଶାଯାଇଥିବା ମାର୍ଗରେ ଆଗକୁ ବଢ଼ିବାକୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/12/swami-vivekananda-2026-01-12-09-07-14.jpg)